କୋମାରେ ସବ୍ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ କାର୍ଯ୍ୟକଳାପ ବିରୋଧରେ ତେଜୁଛି ଅସନ୍ତୋଷ
ଭଦ୍ରକ : ଭଦ୍ରକ ସବ୍ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଏବେ କୋମାରେ । ଏଠାରେ ଖରିଦ ବିକ୍ରୀ ଦଲିଲ ପଞ୍ଜିକରଣ ଏକ ପ୍ରକାର ଠପ ହୋଇ ଯାଇଛି । ବହୁ ବ୍ୟକ୍ତି ନିଜ ନିଜର ଜମି ବିକ୍ରୀ କରିନପାରି ନିରାଶା ମଧ୍ୟରେ ଗତି କରୁଛନ୍ତି । ବିଶେଷକରି ବିବାହ ଋତୁରେ ବହୁ ବ୍ୟକ୍ତି ନିଜର ଜରୁରୀ ଆବଶ୍ୟକତା ପାଇଁ ଜମି ବିକ୍ରୀ କରିବାକୁ ଚାହୁଁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କେତେକ କଟକଣା ଯୋଗୁଁ ଏହା ସମ୍ଭବ ହୋଇ ପାରୁ ନାହିଁ । ଫଳରେ ଶହଶହ ବ୍ୟକ୍ତି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିପରି ଏକ ଅଭିଯୋଗ ଆଣିଛନ୍ତି କୁଆଁସ ଗ୍ରାମର ଶଙ୍କର ଦାସଙ୍କ ପୁତ୍ର ଗିରିଧାରୀ । ସେ ଅଭିଯୋଗ କରିଛନ୍ତିଯେ ଚଳିତ ମାସ ୨୦ ତାରିଖ ସେ ଏକ ଜମିର ଦଲିଲ ପାଇଁ ଭଦ୍ରକ ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏଥି ନିମନ୍ତେ ଉଚ୍ଚ ନ୍ୟାୟାଳୟ ଓ କଟକ ଆଇଜିଆରଙ୍କ ନିର୍ଦ୍ଦେଶ ରହିିଛି । କିନ୍ତୁ ସବ୍ ରେଜିଷ୍ଟର ଏହାକୁ ଗ୍ରହଣ କରୁ ନାହାନ୍ତି କିମ୍ବା ଖାରଜ କରୁ ନାହାନ୍ତି । ଏଡିଏମ ମନା କରିଛନ୍ତି । ଯଦି ତୁମେ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ନକ୍ସା ତିଆରି କରି ଦଲିଲ ସହ ସଂଯୋଗ କରି ଦାଖଲ କଲେ ରେଜିଷ୍ଟ୍ରି କରାଯିବ ବୋଲି ସବ ରେଜିଷ୍ଟ୍ରର କହୁଛନ୍ତି । ଯାହାକି ସମ୍ଭବ ନୁହେଁ ବୋଲି ସେ କରିଛନ୍ତି । ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାରେ ଜମି କିଣା ବିକା ଚାଲିଥବବା ସମୟରେ ଭଦ୍ରକରେ ଏପରି କଟକଣା କାହିଁକି ବୋଲି ଗିରିଧାରୀ ପ୍ରଶ୍ନ କରିଛନ୍ତି । ତେବେ ଗଙ୍ଗାଧରଙ୍କ ପରି ଶହଶହ ବ୍ୟକ୍ତି ନିଜ ନିଜର ଜମି ବିକ୍ରୟ ଅପେକ୍ଷାରେ ରହିଛନ୍ତି । ଅନୁରୂପ ଶତାଧିକ ବ୍ୟକ୍ତି ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଷ୍ଟାମ୍ପ ପେପର କିଣି ଜମି କ୍ରୟ କରିବାକୁ ଅନାଇ ବସିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ବିଭାଗୀୟ ଅଧିକାରୀ ଉକ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସାଧାରଣରେ ଦାବି ହେଉଛି ।
