କେନ୍ଦୁଝର ଜନଜାତି ସମ୍ମିଳନୀ ଅନୁଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସୁଫଳ ସମସ୍ତଙ୍କ ନିକଟରେ ପହଂଚୁ
କେନ୍ଦୁଝର : ଜନଜାତି ମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସୁଫଳ ସମସ୍ତଙ୍କ ନିକଟରେ ପହଂଚୁ । ଏଥିନିମନ୍ତେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ କହିଛନ୍ତି । ଚଳିତ ଫେବୃଆରୀ ୧୭ ତାରିଖ ଶୁକ୍ରବାର ଦିନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝର ଆନୁକୂଲ୍ୟରେ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଅଡିଟୋରିୟମ୍ ଠାରେ ଆୟୋଜିତ ଜନଜାତି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ ଏହି ମତବ୍ୟକ୍ତ କରିଛନ୍ତି । ଉଦ୍ବୋଧନ ଛଳରେ ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ କହିଥିଲେ ଯେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ପ୍ରତି ଶ୍ରେଷ୍ଠ ସମ୍ମାନ ଦେଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନର ଯେଉଁ ଉଦ୍ଦେଶ୍ୟ ଏବଂ ଆକାଂକ୍ଷା ରହିଛି ତାହା ସମସ୍ତେ ଜାଣିବା ଦରକାର । ଏଣୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ, କାର୍ଯ୍ୟାବଳୀ ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି ମାନଙ୍କର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ସଂରକ୍ଷଣ ଓ ବିକାଶ ସହିତ ଜନଜାତି ଲୋକ କିପରି ସ୍ୱାବଲମ୍ବୀ ହେବେ ସେମାନଙ୍କର କିପରି ବିକାଶ ହେବ, ସେଥିପାଇଁ ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି । ଏତଦ୍ବ୍ୟତୀତ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ତଥାପି ଯଦି କୌଣସି ସ୍ଥଳରେ ଆବଶ୍ୟକ ପଡେ ସେଥିପାଇଁ ଉନ୍ନୟନ ପରିଷଦ ସେ କ୍ଷେତ୍ରରେ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରିପାରିବ । ଗ୍ରାମାଂଚଳ ସହିତ ସହରାଞ୍ଚଳରେ ବସବାସ କରୁଥିବା ଜନଜାତିଙ୍କ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକ୍ରମ ହାତକୁ ନେଇପାରିବ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଜନଜାତି ମାନଙ୍କର ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟ ପରିସରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ କହିଥିଲେ । ଏହି ସମ୍ମିଳନୀରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ଭାବେ କେନ୍ଦୁଝର ସାଂସଦ (ଲୋକସଭା) ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ନାରାୟଣ ପୂର୍ତି, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଆଭିମୁଖ୍ୟ ସହିତ ଆଦିବାସୀ ସଂସ୍କୃତିର ସଂରକ୍ଷଣ, ଜନଜାତି ପରିଚୟ ବଜାୟ ରଖିବା ପାଇଁ ଜନଜାତି ସଂସ୍କୃତିର ପ୍ରଚାର, ଜନଜାତି ସମ୍ବଳର ଚିହ୍ନଟିକରଣ ଏବଂ ସ୍ଥାନୀୟ ଜ୍ଞାନକୌଶଳ, ଅସାଧାରଣ ସଂସ୍କୃତିର ଉପଯୋଗ ଦ୍ୱାରା ଜୀବିକାର ମାଧ୍ୟମ ସୃଷ୍ଟି, ଉନ୍ନତ ଯୋଗାଯୋଗ ପାଇଁ ଜନଜାତି ଭାଷା ଏବଂ ଉପଭାଷାର ଉନ୍ନତି, ବୋଧଗମ୍ୟ ଏବଂ ଜନଜାତି ସଂସ୍କୃତି ପରମ୍ପରା ଓ ଚଳଣୀର ଦଲିଲ କରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ ରାଜ୍ୟ ଉପଦେଷ୍ଟା ଏବଂ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ, ଏସ୍ଡିସି କେନ୍ଦୁଝରର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ନୂଆ ସଦସ୍ୟ/ସଦସ୍ୟା, ବିଶେଷଜ୍ଞ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଜନଜାତି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଜନଜାତି ସଂପ୍ରଦାୟର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ସର୍କିଟ୍ ହାଉସ୍ ଠାରେ ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟାବଳୀ ସମ୍ପର୍କରେ ବିଶଦ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ଉପଦେଷ୍ଟା ଶ୍ରୀ ମାଝୀ ଭୁବନେଶ୍ୱରରୁ କେନ୍ଦୁଝର ଆସିବା ରାସ୍ତାରେ ଘଟଗାଁ ଠାରେ ମା’ତାରିଣୀଙ୍କୁ ଦର୍ଶନ କରିଥିଲେ ଏବଂ ଘଟଗାଁ ଠାରେ ନିର୍ମିତ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏହାପରେ କେନ୍ଦୁଝର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆରରେ ଜନଜାତି ନୃତ୍ୟ ସଙ୍ଗୀତ ମାଧ୍ୟମରେ କେନ୍ଦୁଝର ଅଡିଟୋରିୟମ୍ ପର୍ଯ୍ୟନ୍ତ ଶ୍ରୀ ମାଝୀଙ୍କୁ ପାଛୋଟି ନିଆଯାଇଥିଲା ।
