ଚାଉଳ କାଟ ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
କେନ୍ଦୁଝର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩.୨୫ କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରେ ବଂଚିତ କରାଯାଇଥିବା ନିଷ୍ପତି ବିରୋଧରେ ବିଜେଡି ପକ୍ଷରୁ ଗୁରୁବାର ୧୩ ଟି ବ୍ଲକ, ୪ ପୌରପାଳିକା, ଗୋଟିଏ ଏନ୍ଏସି ତଥା ଜିଲାମୁଖ୍ୟାଳୟରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଜିଲା ମୁଖ୍ୟାଳୟରେ ସ୍ଥାନୀୟ ନଗର ଭବନ ପଡ଼ିଆରୁ ଜିଲା ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି କେନ୍ଦୁଝର ପୌରପାଳିକା ଆଗରେ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲାପାଳଙ୍କ ଅଫିସ, ଆଗରେ ବହୁ ସଂଖ୍ୟାରେ ବିଜେଡି ନେତା କର୍ମୀ ଉପସ୍ଥିତ ହୋଇ ପ୍ରତିବାଦ ସଭା ଆୟୋଜନ କରିଥିଲେ । ପୁନର୍ବାର ଉକ୍ତ ଚାଉଳ ଗରିବ ହିତାଧିକାରୀଙ୍କୁ ଦେବା ପାଇଁ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଭଳି ପଦକ୍ଷେପକୁ ନେଇ ନେତାମାନେ ଉଦ୍ବୋଧନ ଦେଇ ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ଗରିବଙ୍କ ଚାଉଳ ଦେବା ନେଇ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ଚନ୍ଦ୍ରାଣି ମୁର୍ମୁ, ଲକ୍ଷ୍ମୀ ନାୟକ,କାନନ ବିହାରୀ ପୋହି,ଆଶିଷ ଚକ୍ରବର୍ତୀ, ସୌମ୍ୟ ଶଙ୍କର ଚକ୍ର,ବରୋଦା ପ୍ରସନ୍ନ ଦାସ,ମୀନା ମାଝି, ଯୁବ ନେତା ବାସୁଦେବ ଜେନା ଓ ଆଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ନେତା,କର୍ମୀ ସାମିଲ ହୋଇଥିଲେ ।
