ସାଇକେଲକୁ ଧକ୍କା ଦେଲା ବାଇକ, ସାଇକେଲ ଚାଳକ ମୃତ, ବାଇକ ଚାଳକ ଗୁରୁତର
ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗମ୍ଭାରିଆ ଛକ ନିକଟରେ ସାଇକେଲକୁ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ଉଭୟ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ସାଇକେଲ ଆରୋହୀ ଭିକାରୀ ସାହୁ(୭୦) ନାମକ ବୃଦ୍ଧଙ୍କ ମୃତ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଅନ୍ୟପଟେ ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହୀ ଆଖୁପାଳ ଅଂଚଳର କ୍ଷିରୋଦ କୁମାର ନାଏକ(୩୫) ଡାକ ନାମ ବାଘଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ହରିଚନ୍ଦନପୁରରେ ସାପ୍ତାହିକ ହାଟ ହେଉଥିବାରୁ ଝାଡପୋଖରୀ ଗ୍ରାମର ଭିକାରୀ ସାହୁ ନାମକ ବୃଦ୍ଧ ଗ୍ରୋସରୀ ସାମଗ୍ରୀ ବିକ୍ରି କରିବାକୁ ଯାଇ ସନ୍ଧ୍ୟା ସମୟରେ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ କ୍ଷିରୋଦ କୁମାର ନାଏକ ଓଡ଼ି -୦୯-କ୍ୟୁ- ୭୧୦୭ ନାମକ ଏକ ବାଇକ ଯୋଗେ ଗମ୍ଭାରିଆ ଛକ ନିକଟରେ ପଛପଟୁ ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ସାଇକେଲ ଓ ବାଇକ ଆରୋହୀ ରାସ୍ତା ଉପରେ ଛିଟିକି ଗୁରୁତର ଭାବେ ପଡ଼ିରହିଥିଲେ । ଦୁର୍ଘଟଣାରେ ବୃଦ୍ଧ ଭିକାରୀଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ମୁଣ୍ଡରେ ଗଭୀର ମାଡ ହୋଇଥିଲା ଏନ୍ୟପରେ ବାଇକ ଆରୋହୀ ବାଘ ନାଏକଙ୍କ ମୁଣ୍ଡରେ ମଧ୍ୟ ଗଭୀର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଦୁର୍ଘଟଣା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
