ଦୀର୍ଘଦିନର ସ୍ବପ୍ନ ସାକାର ! ପର୍ଯ୍ୟଟନ ସ୍ଥଳୀର ସହର ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ
ବାଲେଶ୍ବର ସାଂସଦଙ୍କ ଦାବିପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ପ୍ରତିଶୃତି
ନୀଳଗିରି : ସାକାର ହେବ ସ୍ୱପ୍ନ। ଦୀର୍ଘଦିନର ଦାବି ହେବ ପୂରଣ । ଖୁବଶୀଘ୍ର ପର୍ଯ୍ୟଟନ ସ୍ଥଳୀର ସହର ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍ । ବାଲେଶ୍ଵର ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମରେ ନୀଳଗିରି ନିକଟ ଗୋପୀନାଥପୁରକୁ ଆରମ୍ଭ ହେବାକୁ ଯାଉଛି ଯାତ୍ରୀବାହୀ ଟ୍ରେନ୍ ସେବା । ଏନେଇ ଗୁରୁବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପ୍ରତାପ @pcsarangi ନନାଙ୍କ ସାଙ୍ଗରେ ନୀଳଗିରି କୁ ପାସେଞ୍ଜର ଟ୍ରେନ ଅତିଶୀଘ୍ର ଚାଲୁ କରିବା pic.twitter.com/ZkmlCKIDaJ
— Ashwini Vaishnaw (@AshwiniVaishnaw) December 30, 2021
ସୂଚନା ଯେ, ବାଲେଶ୍ୱର ଜିଲାରୁ ନୀଳଗିରି ଗୋପୀନାଥପୁର ପର୍ଯ୍ୟନ୍ତ ରେଳ ଲାଇନ୍ ସଂଯୋଗ ରହିଛି। ଏହି ରେଳଲାଇନ୍ର ବିଦ୍ୟୁତ୍କରଣ ମଧ୍ୟ ହୋଇଛି। ପୂର୍ବରୁ ଏହି ଅଞ୍ଚଳକୁ ରେଳବିଭାଗ ପଥର, ବାଲି, ମେଟାଲ ନିଜସ୍ବ କାର୍ଯ୍ୟ ପାଇଁ ବୋଝେଇ କରି ନେଉଥିଲା। ଏପରିକି ଏଠାରେ ସ୍ଥାପିତ ସ୍ଲିପର କାରଖାନାରେ ରେଳଲାଇନ୍ ତଳେ ବିଛାଇବା ପାଇଁ ସ୍ଲିପର ନିର୍ମାଣ ହେଉଥିଲା। ଦୀର୍ଘ ବର୍ଷ ଧରି ଏଠାରେ ଟ୍ରେନଲାଇନ ରହିଛି। ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ଲାଗି ପୂର୍ବରୁ ବହୁ ବିଧାୟକ, ଏମ୍ପି ଓ ମନ୍ତ୍ରୀଙ୍କୁ ବହୁବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ବାରମ୍ବାର ଅଞ୍ଚଳବାସୀ ଏକ ପେସେଞ୍ଜର ଟ୍ରେନ ଚାଲିଲେ ଖାଲି ନୀଳଗିରି ନୁହେଁ ମୟୁରଭଞ୍ଜ ଜିଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଦାବି କରି ଆସିଥିଲେ। ପରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଞ୍ଚଳବାସୀଙ୍କ ଦାବୀକୁ ଯଥାର୍ଥତା ଦର୍ଶାଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ମଧ୍ୟ କରିଥିଲେ । ହେଲେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେବା ପରେ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଦାବିକୁ ଦୋହରାଇ ଥିଲେ। ତେବେ ତାଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତର ସହ ନେଇଥିଲେ। ଏପରିକି ପୂର୍ବରୁ ମଧ୍ୟ ସର୍ଭେ ହୋଇଥିଲା। ଗୁରୁବାର ଅଶ୍ବିନ ବୈଷ୍ଣବ ଟ୍ବିଟ୍କରି ‘ନନାଙ୍କ ସାଙ୍ଗରେ ନୀଳଗିରିକୁ ପାସେଞ୍ଜର ଟ୍ରେନ ଅତି ଶୀଘ୍ର ଚାଲୁ କରିବା ଲେଖିଥିଲେ’। ପରେ ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଷ୍ଟେସନର ଶିଳାନ୍ୟାସ ହେବ ବୋଲି ଜଣାପଡିଛି।
କେନ୍ଦ୍ର ରେଳମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପରେ ବାଲେଶ୍ବର ଏମପି ଶ୍ରୀ ଷଡ଼ଙ୍ଗୀ ଟ୍ବିଟ୍ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହିତ ଆସନ୍ତା ତିନିମାସ ମଧ୍ୟରେ ପାସେଞ୍ଜର ଟ୍ରେନ ଚାଲିବା ସହ ମନ୍ତ୍ରୀ ନିଜେ ବସି ଯିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି।
