ଓମିକ୍ରନ୍ ଭୟ : ବାଲେଶ୍ୱରରେ ୩ଦିନ ପାଇଁ ଉତ୍ସବ ପାଳନ ଓ ସମାବେଶ ଉପରେ କଟକଣା
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍-୧୯ ଏବଂ ଏହାର ନୂତନ ପ୍ରଜାତି ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ଡିସେମ୍ବରରୁ ୨୦୨୨ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଜିଲାରେ ବଡ଼ ସମାବେଶ ଏବଂ ଉତ୍ସବ ପାଳନ ଉପରେ କଟକଣା ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ଆଦେଶନାମା ୭୪୫୮, ତା -୨୪.୧୨.୨୦୨୧ ଅନୁଯାୟୀ କ୍ଷମତାପ୍ରାପ୍ତ ଅଧିକାରୀ ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଜିଲାରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ଦିନମାନଙ୍କରେ କୌଣସି ବଡ଼ ସମାବେଶ, ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନାଚଗୀତ, ଜିରୋ ନାଇଟ୍ ସେଲିବ୍ରେସନ, ନୂତନ ବର୍ଷକୁ ସ୍ୱାଗତ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଦିଆଯିବ ନାହିଁ । ସେହିପରି ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଯଥା ତାଳସାରୀ-ଉଦୟପୁର ବେଳାଭୂମି, ଭୂଷଣ୍ଡେଶ୍ୱର, ଚନ୍ଦନେଶ୍ୱର, ପଞ୍ଚୁଲିଙ୍ଗେଶ୍ୱର, ନୀଳଗିରି ଜଗନ୍ନାଥ ମନ୍ଦିର, କୁଲଡ଼ିହା ଅଭୟାରଣ୍ୟ, କ୍ଷୀରଚୋରା ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ଡଗରା ବେଳାଭୂମି, ଚାନ୍ଦିପୁର ବେଳାଭୂମି ଇତ୍ୟାଦିରେ ଜନସମାଗମ କିମ୍ବା ପିକନିକ୍ ପାଇଁ ନିଷେଧାଦେଶ ଜାରି କରାଯାଇଛି । କୌଣସି ପ୍ରକାର ସାମୂହିକ ଭୋଜିଭାତ ଆୟୋଜନ ଉପରେ କଟକଣା ଲଗାଯାଇଛି । ପିକ୍ନିକ୍ ସ୍ପଟ୍ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଶକ୍ତ ନଜର ରଖିବାକୁ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟକ୍ତି ଏହାର ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ର ଧାରା ୫୧ ରୁ ୬୦, କୋଭିଡ୍-୧୯ ରେଗୁଲେସନ୍ ୨୦୨୦ ଏବଂ ଆଇପିସିର ଧାରା ୧୮୮ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି।
