ସେରଗଡ଼-ଝରଣାଘାଟି ରାସ୍ତାର କାର୍ଯ୍ୟର ମନ୍ଥରତାକୁ ନେଇ ଧାରଣାରେ ବସିଲେ ବିଧାୟକ
ନୀଳଗିରି : କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨୫କୋଟି ଟଙ୍କା ବିନିମୟରେ ସେରଗଡ଼-ନୀଳଗିରି – ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ବାଲେଶ୍ୱର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଉଦ୍ୟମ ଫଳରେ ମଞ୍ଜୁର କରିଥିଲେ । ମାତ୍ର ଦୀର୍ଘ ୧ବର୍ଷ ଧରି ପୂର୍ତ ବିଭାଗ ଦ୍ୱାରା ଟେଣ୍ଡର ପ୍ରକ୍ରିୟା କରାଯାଇ ଠିକାଦାରଙ୍କ ସହିତ ଚୁକ୍ତିନାମା ହୋଇଥିଲେ ମଧ୍ୟ କାଁଭାଁ କଲଭଟ, ୱାଲ ନିର୍ମାଣ ହୋଇଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟ ନ ହେବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏ ନେଇ ନୀଳଗିରି ବିଧାୟକ ବାରମ୍ବାର ବିଭାଗକୁ ଅବଗତି କରିଥିଲେ ମଧ୍ୟ ସେଭଳି ଅଗ୍ରଗତି ଘଟି ପାରି ନାହିଁ । ଫଳରେ ଶନିବାର ୪ତାରିଖ ଦିନ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ମୁଖ୍ୟତଃ ୮ଗୋଟି ଦାବୀ ନେଇ ବିଧାୟକ ଧାରଣାରେ ବସିଥିବା ବେଳେ ପ୍ରମୁଖ ଦାବୀ ମଧ୍ୟରେ ଜିରୋ ପଏଂଟ ସେରଗଡ଼ ଠାରୁ ନୀଳଗିରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତାର ସଂପୂର୍ଣ୍ଣୀକରଣ, ଆବଶ୍ୟକସ୍ଥଳେ ଜମି ଅଧିଗ୍ରହଣ ପାଇଁ ରାଜସ୍ୱ ବିଭାଗ ଯତ୍ନବାନ ହେବା, ତୁରନ୍ତ ପାଣି ପାଇପ ଓ ଇଲେକ୍ଟ୍ରି ଖୁଂଟ ସ୍ଥାନାନ୍ତରଣ , ସର୍ବୋପରି ସୀମାବର୍ତୀ ଟାଙ୍ଗଣା ପୋଲ ପ୍ରତି ପୂର୍ତ ବିଭାଗର ଉଦାସୀନତା ପରିହର ପୂର୍ବକ ନୂତନ ପୋଲ ନିର୍ମାଣ ପାଇଁ ଅଗ୍ରାଧିକାର ଭିତିରେ କାର୍ଯ୍ୟକରିବା ଆଦି ପ୍ରମୁଖ ଦାବୀ ନେଇ ଧାରଣା ଦିଆଯାଇଥିବା ବିଧାୟକ ଇଂ. ସୁକାନ୍ତ ନାୟକ କହିଛନ୍ତି । ଧାରଣାସ୍ଥଳରେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ବାଲେଶ୍ୱର ପୂର୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରଧାଙ୍ଗଧର ରାଉତ, ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ, ବାଲେଶ୍ୱର ଏସ.ସି.ଏଫ.ଓ. ଶୋଭନ ଦିଗନ୍ତ ଚାନ୍ଦ, କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା, ନୀଳଗିରି ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ମୁନା ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଧାରଣାସ୍ଥଳରେ ପହଂଚି ଖୁବ୍ ଶୀଘ୍ର ଅଗ୍ରାଧିକାର ଭିତିରେ ରାସ୍ତା କାମ ହେବ ବୋଲି ପ୍ରତିଶୃତି ଦେବା ପରେ ବିଧାୟକ ଧାରଣା ପ୍ରତ୍ୟାହାରେ କରିଥିଲେ ।
