ହକି ବିଶ୍ୱକପ ଟ୍ରଫି ଓ ମାସ୍କଟ ଓଲିକୁ ବାରିପଦାରେ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ନୃତ୍ୟ, ଗୀତ ଓ ବାଦ୍ୟରେ ସାରା ସହର ଉତ୍ସବ ମୁଖର
ବାରିପଦା : ଚଳିତ ମାସ ୧୩ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶା ର ଭୁବନେଶ୍ୱର ଓ ରାଉରକେଲା ରେ ଅନୁଷ୍ଠିତ ହେବାକୁଥିବା ହକି ପୁରୁଷ ବିଶ୍ୱକପ ନିମନ୍ତେ ଟ୍ରଫି ଓ ମାସ୍କଟ ଓଲି ରାଜ୍ୟ ପରିକ୍ରମାରେ ଆସି ୭ ତାରିଖ ରାତିରେ ବାରିପଦା ମୁର୍ଗାବାଡି ଠାରେ ପହଂଚି ବା ପରେ ସେଠାରେ ବିଶାଳ ଜନ ସମାଗମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ତାଳେ ତାଳେ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପାଳିକା ତରଫରୁ ସ୍ୱାଗତ କରାଯିବା ପରେ ସ୍ଥାନୀୟ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ୦୮ ତାରିଖ ସକାଳେ ସର୍କିଟ ହାଉସରୁ ଏକ ଶୋଭାଯାତ୍ରାରେ ବାହାରି ସହର ବାସୀଙ୍କ ଉଦେଶ୍ୟରେ ସହର ପରିକ୍ରମା କରି ବାରିପଦା ଷ୍ଟାଡିୟମକୁ ଅଣାଯାଇଥିଲା । ରାସ୍ତାରେ ଷ୍ଟେସନ ବଜ଼ାର, କୃଷ୍ଣଚନ୍ଦ୍ର ଗୋଲେଇ, ପ୍ଲାଜ଼ା ଫେସନ ସମ୍ମୁଖ, ବିଜୁପଟ୍ଟନାୟକ ଛକ, ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖ ଇତ୍ୟାଦି ସ୍ଥାନରେ ବିଭିନ୍ନ ସଂଗଠନ, ଜନସାଧାରଣ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ, ଗୀତ ଓ ବାଦ୍ୟରେ ଟ୍ରଫି କୁ ସ୍ୱାଗତ କରିଥିବାର ଦେଖାଯାଇଥିଲା । ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଟ୍ରଫିକୁ ଭବ୍ୟ ସ୍ୱାଗତ ସହ ଗ୍ରହଣ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାର୍ଣ୍ଡି, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡା ବିଧାୟକ ରାଜ କିଶୋର ଦାସ, ବାଙ୍ଗରିପୋଷୀ ବିଧାୟକ ସୁଦାମ ମାରାଣ୍ଡି, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି ଅବସର ରେ ମୟୁରଭଂଜର ପ୍ରସିଦ୍ଧ ଛଉ ନୃତ୍ୟ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ପ୍ରତ୍ୟୁଷ ରେ ସହରରେ ଗଣ ଦୌଡ଼ ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ବସନ୍ତ କୁମାର ସେଠି ଙ୍କ ସହିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲା ର ପୁରାତନ ଭେଟେରାନ କ୍ରୀଡାବିତ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ହକି ପୁରୁଷ ବିଶ୍ୱ କପ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ନାମେଂଟ, ମାରାଥନ ଓ ଚିତାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଜିଲ୍ଲାର ଜନପ୍ରତିନିଧି, ବିଭିନ୍ନମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ, ରଣଜିତ ସାହୁ ମଂଚ ପରିଚାଳନା କରିଥିଲେ ।
