ବଜ୍ରକବାଟି ନିକଟ ବକ୍ସ ଡ୍ରେନ୍ କାମ ଅନୁଧ୍ୟାନ କଲେ ସିଏମସି କମିଶନର
କଟକ : କଟକ ମହାନଗର ନିଗମ(ସିଏମସି) କମିଶନର ନିଖିଲ ପୱନ କଲ୍ୟାଣ ଆଜି ପୂର୍ବାହ୍ନରେ କଟକରେ ଚାଲିଥିବା ଜାଇକା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । କଟକ ସହରବାସୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକୁ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ ଜାରି ରହିଥିଲା ବେଳେ କମିଶନର ଶ୍ରୀ କଲ୍ୟାଣ ବଜ୍ରକବାଟି ନିକଟସ୍ଥ ମୁଖ୍ୟ ନାଳ ଉପରେ ଚାଲିଥିବା ବକ୍ସ ଡ୍ରେନ୍ କାର୍ଯ୍ୟକୁ ତଦାରଖ କରିଥିଲେ । ବିଶେଷକରି କାମର ମାନ ନିରୀକ୍ଷଣ କରିବା ସହ ଏହାର ଅଗ୍ରଗତି ସଂକ୍ରାନ୍ତରେ ସେ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଜାଇକା ପ୍ରକଳ୍ପ ଯନ୍ତ୍ରୀ ଓ ଅତିରିକ୍ତ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଅଗ୍ରଗତି ସଂପର୍କରେ କମିଶନରଙ୍କୁ ଅବଗତ କରାଇଥିଲେ । ଏତଦ୍ ବ୍ୟତୀତ ତ୍ୱରିତ ବେଗରେ କାର୍ଯ୍ୟ କରିବାକୁ ଶ୍ରୀ କଲ୍ୟାଣ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଧ୍ୟାନ ସମୟରେ କମିଶନର ଶ୍ରୀ କଲ୍ୟାଣଙ୍କ ସହିତ ଜାଇକାର କର୍ମକର୍ତ୍ତା ଓ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ ।
