ଲିଙ୍କ୍ରୋଡରେ ଜଳିଗଲା ବସ୍
କଟକ : କଟକରେ ପ୍ରଚଣ୍ଡ ରୈାଦ୍ରତାପ ଜନସାଧାରଣଙ୍କୁ ଅତିଷ୍ଠ କରିପକାଇଥିଲା ବେଳେ ଲିଙ୍କ୍ରୋଡରେ ଅଚାନକ ଏକ ବସରେ ନିଆଁ ଲାଗି ପରିବେଶକୁ ଆହୁରି ଉତ୍ତପ୍ତ କରିଦେଇଛି । ଅପରାହ୍ନ ସମୟରେ ପାରଦ ପ୍ରାୟ ୪୦ ଡିଗ୍ରୀ ରହିଥିଲା ବେଳେ ଲିଙ୍କରଡୋରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ସେଠାରେ କିଛି ଦିନ ଧରି ଥୁଆ ହୋଇଥିବା ଏକ ଯାତ୍ରୀବାହୀ ବସରେ ହଠାତ୍ ଧୁଆଁ ବାହାରିବା ସହ ହୁତୁହୁତୁ ହୋଇ ନିଆଁ ଜଳିବାରେ ଲାଗିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁ ପାଖରେ ଥିବା ପାନ ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ତେବେ ବସ ଓ ଦୋକାନରେ ଅଗ୍ନିକାଣ୍ଡ ହେବା ପରେ ସ୍ଥାନୀୟ ଲୋକେ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ୨ଟି ଟିମ ପହଂଚି ନିଆଁ ଲିଭାଇବା ଉଦ୍ୟମ କରିଥିଲେ । ତେବେ ନିଆଁକୁ ଆୟତ୍ତ କରିବା ବେଳକୁ ଉକ୍ତ ବସ ଓ ପାନ ଦୋକାନ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାନପଡିଥିଲେ ମଧ୍ୟ ଧୂମ୍ରପାନ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିିଶମ ଅଧିକାରୀ ସୂଚନା ଦେଇଛନ୍ତି ।
