ପ୍ରଚାର କ୍ଷେତ୍ରରେ ପଛରେ ପଡିଛି କଟକ ଦଶହରା ୨୦୧୫ରୁ ବନ୍ଦ୍ ଦୁର୍ଗାପୂଜା ୱେବ୍ସାଇଟ୍
କଟକ : କଟକର ପ୍ରସିଦ୍ଧ ଦୁର୍ଗାପୂଜା ବିଷୟରେ ଲୋକଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୱେବସାଇଟ୍ ଖୋଲାଯାଇଥିଲା । ଦୁଇ ବର୍ଷ ଧରି କାର୍ଯ୍ୟକ୍ଷମ ହେବା ପରେ ତାହା ବନ୍ଦ ହୋଇଗଲା । ପରେ ଏହାର ପୁଃନ ପ୍ରଚଳନ ପାଇଁ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଗଲା ନାହିଁ । ଯାହା ଫଳରେ ଦେଶ ବିଦେଶରେ ରହୁଥିବା ଲୋକେ କଟକ ଦଶହରା ସଂପର୍କରେ ଆଉ କୈାଣସି ସୂଚନା ପାଇପାରୁନାହାନ୍ତି । କଟକର ଦୁର୍ଗାପୂଜାର ରହିଛି ସ୍ୱତନ୍ତ୍ରତା । ବିଶେଷକରି ତାରକସିର ନିପୂଣ କାରିଗରୀ କଟକ ଦୁର୍ଗା ପୂଜାକୁ ଅଧିକ ଆକର୍ଷଣୀୟ କରିଛି । ସେଥିପାଇଁ ଦଶହରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବି ପର୍ଯ୍ୟଟକ କଟକ ଆସିଥାନ୍ତି । ଆଗନ୍ତୁକଙ୍କୁ ଦଶହରା ସମ୍ବନ୍ଧରେ କିଛି ଅଧିକ ତଥ୍ୟ ଦେବାକୁ ଯୋଜନା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୩ରେ ଏକ ୱେବସାଇଟ୍ ଲୋକାର୍ପଣ କରାଯାଇଥିଲା । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ କଟକଦଶହରା ଡଟ୍ କମ୍ ଏହି ୱେବସାଇଟକୁ ତତ୍କାଳୀନ ଜିଲ୍ଲାପାଳ ଗିରିଶ ଏସଏନ ଲୋକାର୍ପଣ କରିଥିଲେ । ଏଥିରେ ଦୁର୍ଗାପୂଜାରେ ସାମିଲ ସମସ୍ତ ପୂଜା କମିଟି ଓ ମଣ୍ଡପକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପୂଜା ରାଜନୀତିକୁ ନେଇ ସ୍ୱତନ୍ତ୍ର ତଥ୍ୟ ମଧ୍ୟ ଏଥିରେ ରହିଥିଲା । ଯେମିତି ମଣ୍ଡପ ଓ ଏହାର ଇତିହାସ, ପୂଜାବିଧି, ରୀତିନୀତି, ତାରକସି କାର୍ଯ୍ୟ ଭଳି ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଥିଲା । କେବଳ ସେତିକି ନୁହେଁ, ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ରୁଟ୍ ଲାଇନିଂ ବ୍ୟବସ୍ଥା ଥିଲା । ଯାହାଦ୍ୱାରା ପର୍ଯ୍ୟଟକ କେଉଁ ବାଟରେ ଗଲେ କେଉଁ ପୂଜା ମଣ୍ଡପର ମେଢ ଦେଖିପାରିବ, ସେ ବିଷୟରେ ବିସ୍ତୃତ ତଥ୍ୟ ରଖାଯାଇଥିଲା । ଏହାଦ୍ୱାରା ବାହାରୁ ଆସୁଥିବା ଲୋକେ ସହଜରେ କଟକର ଦୁର୍ଗା ପୂଜାର ଆନନ୍ଦ ଉଠାଇ ପାରୁଥିଲେ । କିନ୍ତୁ ଏହି ୱେବ୍ସାଇଟ୍ ବନ୍ଦ୍ ହୋଇଯିବା ପରେ ଏହାକୁ ନେଇ ନାନା ସମସ୍ୟା ଦେଖାଯାଉଛି । ପର୍ଯ୍ୟଟକ ତଥ୍ୟ ନ ପାଇ ନିରାଶ ହେଉଛନ୍ତି । ଲୁମିନସ୍ ଇନ୍ଫୋୱେବ୍ ନାମକ ଏକ କମ୍ପାନୀ ଏହି ୱେବ୍ସାଇଟ୍କୁ ପ୍ରସ୍ତୁତ କରିଥିଲା । କିନ୍ତୁ ପରେ ପରିଚାଳନାଗତ ସମସ୍ୟା ଉପୁଜିଥିଲା । ଏମିତିକି କମ୍ପାନୀକୁ ପରିଚାଳନା ପାଇଁ ଟଙ୍କା ଦେଣନେଣରେ ଅସୁବିଧା ସୃଷ୍ଟି ହୋଇଥିଲା । ଯାହାଫଳରେ ୱେବ୍ସାଇଟ୍ଟିକୁ ବ୍ଲକ କରିଦିଆଗଲା । ଏବେ ପୁଣି ଏହି ୱେବ୍ସାଇଟ୍୍କୁ ସକ୍ରିୟ କରିବାକୁ ଦାବି ହେଉଛି ।
