ଜାନୁଆରୀ ୧୫ରେ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାହିତ୍ୟ ସଂଗଠନ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ସ୍ଥାନୀୟ କାଳୀପଡ଼ିଆଠାରେ ଚଳିତ ଜାନୁଆରି ୧୫ ତାରିଖ ପୂର୍ବାହ୍ନରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ବାର୍ଷିକ ସାହିତ୍ୟ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଞ୍ଚର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ମାସରେ ମଞ୍ଚ ପକ୍ଷରୁ ସାରା ରାଜ୍ୟରୁ ଆହ୍ୱାନ କରାଯାଇଥିବା ‘ପୋଷ୍ଟକାର୍ଡ଼ରେ କବିତା’ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ କବିଙ୍କୁ ଏଥିରେ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏ ମାଟିର ବିଶିଷ୍ଟ କବି ତଥା ଭୁବନେଶ୍ୱରରୁ ପ୍ରକାଶିତ ‘ପାହାଚ’ ପତ୍ରିକାର ସମ୍ପାଦକ କମଳକୁମାର ମହାନ୍ତି, ଟାଇମପାସ୍ର ନିର୍ଦ୍ଦେଶକ ସରୋଜ ବଳ, ଗାଳ୍ପିକ ଡକ୍ଟର ପଦ୍ମକାନ୍ତ ଧଳ, କବି ଅଧ୍ୟାପକ କିଶୋର ପାଣିଗ୍ରାହୀ ଓ ପ୍ରାକ୍ତନ ଡାକପାଳ ବୃହସ୍ପତ୍ତି ସାମଲ ଆଗାମୀ ସାହିତ୍ୟ ଉତ୍ସବରେ ଅତିଥି ଓ ବକ୍ତା ଭାବେ ଯୋଗଦେବେ ବୋଲି ସ୍ଥିରୀକୃତ ହୋଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ମଞ୍ଚର ଆବାହକ କୈଳାସ ବେହେରା, ସଂଗଠନର ଉଦ୍ୟକ୍ତା ଯୁବକବି ନିରଞ୍ଜନ ବାରିକ କବି ନିଳମାଧବ ସେନାପତି ବରିଷ୍ଠ ସଦସ୍ୟ କବି ପୀତାମ୍ବର ସେଠୀ, କବି ଦେବେନ୍ଦ୍ରନାଥ ମହାଳିକ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସୁଚିନ୍ତିତ ପ୍ରସ୍ତାବ ଆଗତ କରିଥିଲେ । ସଂଯୋଜକ ବିସ୍ମୟବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
