ଓମ୍ ସାଇ କଳାକେନ୍ଦ୍ରର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ : ଶିଖରପୁର ସ୍ଥିତ ଓମ୍ ସାଇ କଳାକେନ୍ଦ୍ରର ଦଶମ ବାର୍ଷିକ ଉତ୍ସବ ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଗତ ୧୦ ବର୍ଷରେ କଳାକେନ୍ଦ୍ର ମାଧ୍ୟମରେ ବିକଶିତ ହୋଇଥିବା ବହୁ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀଙ୍କୁ ଅନୁଷ୍ଠାନର ସଭାପତି ଗୀତିକାର ଦିଲ୍ଲିପ ଜେନା ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦିକା ପୁଷ୍ପିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ । ସ୍ଥାନୀୟ ଅଂଚଳରେ କଳାର ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଥିବାରୁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ପ୍ରଯୋଜକ, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଇଂ. ସୁବ୍ରତ ଘଡ଼େଇ, ଆଡ୍ଭୋକେଟ୍ ସଞ୍ଜୟ ଜେନା, ସମାଜୀସେବୀ ହିମାଂଶୁ ଷଡ଼ଙ୍ଗୀ, ନାରୀନେତ୍ରୀ ଆଡ୍ଭୋକେଟ୍ ରଶ୍ମୀରେଖା ଦାସ ପ୍ରମୁଖ କଳା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କଳାକାରମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଉପସ୍ଥାପିକା ଭାବେ ତପସ୍ୱିନୀ ପଟ୍ଟନାୟକ, କିରଣ ମହାରଣା, ଇତିଶ୍ରୀ ରାଉତ, ମୁସ୍କାନ ରାଉତ ଓ ଖୁସୀ ନାୟକ ପ୍ରମୁଖ ଦାୟିତ୍ୱ ସମ୍ପାଦନା କରିଥିବାବେଳେ ଆଡ୍ଭୋକେଟ୍ ମାନସ ପାଣି, ଅଶୋକ କୁମାର ରାଉତ, ଦୀପକ ସେଠୀ, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
