ଓଏସଏସଟିଇଟି ଜାଲ ସାର୍ଟିଫକେଟ୍ ବିକି ବୋର୍ଡ କର୍ମଚାରୀ ଗିରଫ
କଟକ : ଶିକ୍ଷକ ଯୋଗ୍ୟତା ପରୀକ୍ଷାର ଜାଲ ସାର୍ଟିଫିକେଟ୍ ବିକିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ ଜଣେ ବୋର୍ଡ କଟକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଭ୍ରମରବର ନାୟକ । ସେ ୪୫ ହଜାର ଟଙ୍କା ନେଇ କେନ୍ଦୁଝର ଜିଲ୍ଲାର ଜଣେ ଲୋକଙ୍କୁ ଏହି ଜାଲ ସାର୍ଟିଫିକେଟ୍ ବିକ୍ରି କରିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣକ ଏହା ଜାଲ ବୋଲି ସନ୍ଦେହ କରି ଏସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏ ବାବଦରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ଥାନା ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଭ୍ରମର ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଶିକ୍ଷକ ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଏସଏସଟିଇଟି) ସାର୍ଟିଫକେଟ୍ ହାସଲ କରିବାକୁ ପଡିଥାଏ ।
