ଠାକୁର ଶ୍ରୀଶ୍ରୀ ଅନୁକୁଳ ଚନ୍ଦ୍ରଙ୍କର ୧୩୫ତମ ଆବିର୍ଭାବ ମହୋତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ସତ୍ସଙ୍ଗ ବିହାର ଠାରେ ଠାକୁର ଶ୍ରୀଶ୍ରୀ ଅନୁକୁଳ ଚନ୍ଦ୍ରଙ୍କର ୧୩୫ତମ ଆବିର୍ଭାବ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ସାହାନାଇ, ଉଷା କୀର୍ତ୍ତନ, ପ୍ରାତଃ ବିନତୀ ପ୍ରାର୍ଥନା ଓ ସଦ୍ଗ୍ରନ୍ଥ ପାଠ କରାଯାଇଥିଲା । ପରେ ସହପ୍ରତିରିତକ୍ ବ୍ରଜ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ. ସୁଦର୍ଶନ ବାରିକ ଯୋଗ ଦେଇ ସତ୍ସଙ୍ଗର ଅଧୁର୍ଯ୍ୟକର୍ମୀ ଓ ଯାଜନ କର୍ମରେ ବ୍ୟକ୍ତିଗତ ଜୀବନ ଶୃଙ୍ଖଳିତ ହେବାକୁ ହେଲେ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ସଦ୍ଦୀକ୍ଷାରେ ଅଭିମନ୍ତ୍ରୀତ ହେବା ଅତ୍ୟନ୍ତ ଜରୁରି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବାରିପଦାର ସହପ୍ରତିରିତିକ୍ ଶଙ୍କର୍ଷଣ ସାହୁ ସଂକ୍ଷିପ୍ତ ଆଲୋଚନା ମାଧ୍ୟମରେ ଶ୍ରୀଶ୍ରୀ ଠାକୁରଙ୍କୁ ଜୀବନର ସଦ୍ଗୁରୁ ଗ୍ରହଣ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଭକ୍ତିସଂଗୀତ ଗାନ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ଅଭିମନ୍ୟୁ ବାରିକ୍ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯାଜକ କର୍ମୀ ତପନ କୁମାର ପଣ୍ଡା ସତ୍ୟାନୁଶରଣ ପାଠ, ଯାଜକକର୍ମୀ ବୀରେନ୍ଦ୍ର ନାୟକ ନାରୀନୀତି ପାଠ କରିଥିଲେ । ପ୍ରିୟମାଧବ ଲେଙ୍କା, ପ୍ରଣବ କୁମାର ଲେଙ୍କା, ଚକ୍ରଧର ଓଝା, ଦେବଯାନୀ ସାହୁ, ସନ୍ତୋଷ ପଲେଇ ପ୍ରମୁଖ ଭଜନ ଏବଂ କୀର୍ତ୍ତନ କରିଥିବା ବେଳେ ଅଧୁର୍ଯ୍ୟ କର୍ମୀ ପ୍ରଦୀପ କୁମାର ଲେଙ୍କା ସମାପନୀ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିହିଡ଼ି ସତ୍ସଙ୍ଗ ବିହାରର ସମ୍ପାଦକ ସପ୍ରତିରିତିକ୍ ନବକିଶୋର ପତି, ପୂର୍ଣ୍ଣଚନ୍ଦ୍ର ନାୟକ, ଗୌରହରି ଚକ୍ରବର୍ତ୍ତୀ, ପ୍ରଫୁଲ୍ଲ ରାଉଳ, କୃପାସିନ୍ଧୁ ସାହୁ, କୈଳାସ ଚନ୍ଦ୍ର ସାହୁ, ଆଦିକନ୍ଦ ସାହୁ, ମିହିର କୁମାର ଭଟ୍ଟରାୟ, ମାଧବ ଗାହାଣୀ, ଖାରବେଳ ବେହେରା, ନାଗେଶ୍ୱର ସାହୁ, ଫନିନ୍ଦ୍ର ଓଝା, ଶ୍ୟାମସୁନ୍ଦର ସାହୁ, ଦୀନବନ୍ଧୁ ପାଣିଗ୍ରାହୀ ପ୍ରମୁଖ ବହୁ ଗୁରୁଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
