ଆଫଗାନିସ୍ତାନର ଲସ୍କର ଗାହକୁ ଦଖଲ କଲା ତାଲିବାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ଜାରି ରହିଛି । ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ତା’ର ଆଧିପତ୍ୟବିସ୍ତାର କରି ଚାଲିଛି । ଆଫଗାନିସ୍ତାନର ଦୁଇଟି ବଡ଼ ସହର କାନ୍ଦାହାର ଓ ହୈରାତକୁ ନିଜ ଦଖଲକୁ ନେଇଥିବା ବେଳେ ଏବେ ଲସ୍କର ଗାହ ସହରକୁ ତାଲିବାନ ଅକ୍ତିଆର କରିନେଇଥିବା ଜଣାପଡ଼ିଛି। ଆମେରିକା ନିଜ ସୈନ୍ୟ ଫେରାଇନେବା ପରେ ଏବେ ତାଲିବାନମାନେ ଦ୍ରୁତ ବେଗରେ ଆଫଗାନିସ୍ତାନର ସହର ନିଜ ଦଖଲକୁ ନେଉଥିବା ଦେଖାଯାଇଛି। ତାଲିବାନ ପକ୍ଷରୁ କୁହାଯାଇଛି ଯେ, ସେମାନେ ହେରାଟ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଦଖଲକୁ ନେଇଛନ୍ତି ଏବଂ ବିମାନବନ୍ଦରର ସମସ୍ତ କର୍ମଚାରୀ ଆତ୍ମସମର୍ପଣ କରିଛନ୍ତି। ତାଲିବାନ ଏହା ପୂର୍ବରୁ କହିଥିଲା ଯେ, ସେମାନେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ଦଖଲ କରିଛନ୍ତି। ଦେଶର ଦ୍ୱିତୀୟ ତଥା ତୃତୀୟ ବୃହତ୍ତମ ସହର କାନ୍ଦାହାର ଏବଂ ହୈରାତ୍ ତାଲିବାନ ଦଖଲକୁ ଯିବାଟା ସେମାନଙ୍କ ପାଇଁ ବହୁତ ବଡ଼ ବିଜୟ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଆଫଗାନିସ୍ତାନ ସରକାର ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଆଫଗାନିସ୍ତାନର ଅଧିକାଂଶ ଅଂଶକୁ ହରାଇ ସାରିଛନ୍ତି। ଏବେ ସରକାରଙ୍କ ପାଖରେ କେବଳ ଦେଶର ରାଜଧାନୀ ଓ କିଛି ସହର ରହିଛି, ଯାହାକୁ ତାଲିବାନ ଖୁବ କମ ସମୟରେ ନିଜ ଦଖଲକୁ ନେବ ବୋଲି ଦାବି କରିସାରିଛନ୍ତି।
ସୂଚନା ଯେ, ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ କାନ୍ଦାହାର ଏବେ ସଂପୂର୍ଣ୍ଣ ଭାବେ ଆମ ଦଖଲରେ ରହିଛି। ବୁଧବାର ରାତିରୁ ହିଁ ତାଲିବାନ କାନ୍ଦାହାରରେ ପ୍ରବେଶ କରିବା ଆରମ୍ଭ କରିଥିଲା। ପ୍ରଥମେ ସଂଗଠନର ସଦସ୍ୟମାନେ ସେଣ୍ଟ୍ରାଲ ଜେଲ ଉପରେ ହମଲା କରି ଏହାକୁ ଦଖଲ କରିଥିଲେ। ଏଠାରେ ଥିବା କଏଦୀମାନଙ୍କୁ ମୁକ୍ତ କରି ଦେଇଥିଲେ। ଏହାପରେ ସହର ମଧ୍ୟକୁ ପ୍ରବେଶ କରି ପୂରା କାନ୍ଦାହାରକୁ ଦଖଲ କରିଛନ୍ତି । ଜାହିଦ୍ଦିନମାନେ ସହରର ସହିଦ ଛକରେ ପ୍ରବେଶ କରି ପତାକା ଉଡ଼ାଇଛନ୍ତି। ଏବେ ଆମେ କାବୁଲ ଦଖଲ କରିବୁ ବୋଲି ସଂଗଠନ କହିଛି। କାନ୍ଦାହାର ଠାରୁ କାବୁଲର ଦୂରତା ପ୍ରାୟ ୫୦୦ କିମି। ତେଣୁ ତାଲିବାନ ସଦସ୍ୟମାନେ ଖୁବଶୀଘ୍ର କାବୁଲରେ ପ୍ରବେଶ କରିବାର ଆଶଙ୍କା ରହିଛି। ଯଦି ଏପରି ହୁଏ, ତା’ହେଲେ ଆଫଗାନିସ୍ତାନ ସରକାରଙ୍କ ପାଖରେ ଆତ୍ମସମର୍ପଣ ଛଡ଼ା ଆଉ କିଛି ବାଟ ରହିବ ନାହିଁ। କାନ୍ଦାହାର ପୂର୍ବରୁ ତାଲିବାନ ଦେଶର ହେରାଟକୁ ଗୁରୁବାର ଦଖଲ କରିଥିଲେ। ଗୁରୁବାର ସନ୍ଧ୍ୟାରେ ହେରାଟର ପୋଲିସ୍ ମୁଖ୍ୟାଳୟକୁ ସଂଗଠନର ସଦସ୍ୟମାନେ ପ୍ରବେଶ କରି ନିଜର ପତାକା ଉଡ଼ାଇଥିଲେ। ସେହିପରି କାବୁଲର ଦକ୍ଷିଣ ପଶ୍ଚିମ ଦିଗଠାରୁ ମାତ୍ର ୧୩୦ କିମି ଦୂରରେ ଥିବା ଗଜନିକୁ ମଧ୍ୟ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ଶତାଧିକ ଲୋକ ପାକିସ୍ତାନ ସୀମାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଇସଲାମାବାଦର ସୁରକ୍ଷାକର୍ମୀଙ୍କ ମାନେ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ତାଲିବାନ ଏକ ସପ୍ତାହରେ ଆଫଗାନିସ୍ତାନର ୩୪ଟି ଆଞ୍ଚଳିକ ରାଜଧାନୀ ମଧ୍ୟରୁ ୧୨ଟି ନିଜ ନିୟନ୍ତ୍ରଣରେ କରିନେଇଛି । ତାଲିବାନ ଆତଙ୍କବାଦୀ ମାନେ ପାଖାପାଖି ୧୫୦ କିମି ଦୂରରେ ଥିବା ଗଜନୀ ଏବଂ ଇରାନ ସୀମା ନିକଟସ୍ଥ ହେରାତ୍ ଉପରେ କବଜା କରିସାରିଛି । କୁହାଯାଉଛି କି ଆତଙ୍କବାଦୀମାନେ ଯେକୌଣସି ସମୟରେ କାବୁଲ ଉପରେ ଆକ୍ରମଣ କରିପାରନ୍ତି ।


