ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଗୁଜରାଟରେ ନିବେଶକ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂରେ ସମ୍ବୋଧିତ
ନୂଆଦିଲ୍ଲୀ : ଯାନବାହନଗୁଡିକୁ ଭାଙ୍ଗିବା ସକାଶେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ପୁଞ୍ଜିନିବେଶ ଆହ୍ୱାନ କରିବା ଉଦ୍ଦେଶ୍ୟରେ ଗୁଜରାଟରେ ଆୟୋଜିତ ନିବେଶକ ସମ୍ମିଳନୀକୁ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ଶୁଭାରମ୍ଭ କରିବା ସହ ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଦ୍ୱାରା ଅଯୋଗ୍ୟ ହୋଇପଡିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ। ଭାରତର ବିକାଶ ଯାତ୍ରାରେ ଏହି ନୀତି ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ ହେବ। ଯୁବଗୋଷ୍ଠୀ ଏବଂ ଷ୍ଟାର୍ଟଅପଗୁଡିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ସେହିପରି ସରକାର ଏକ ସମର୍ଥ ଓ ଆବର୍ତ୍ତି ଅର୍ଥନୀତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ପରିବେଶଗତ ଦିଗ ପ୍ରତି ଦାୟବଦ୍ଧ ରହିବା ସମୟରେ ସମସ୍ତ ସହଭାଗୀଙ୍କ ପାଇଁ ମୂଲ୍ୟ ଆଣିଦେବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଯାନବାହନ ସ୍କ୍ରାପେଜ ନୀତିରେ ସମଗ୍ର ଦେଶରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ ଏବଂ ପଞ୍ଜିକୃତ ଯାନବାହନ ସ୍କ୍ରାପିଙ୍ଗ ସୁବିଧା ଆକାରରେ ଭିତ୍ତିଭୂମି ସୃଷ୍ଟି କରାଯିବ। ସେହି କ୍ରମରେ ଦେଶରେ ସ୍ୱେଚ୍ଛାକୃତ ଭାବରେ ଯାନବାହନ ଆଧୁନିକିକରଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଛି।
