ଶ୍ରୀମନ୍ଦିରରୁ ହଟିଲା ରବିବାରିଆ ଦର୍ଶନ କଟକଣା
ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ହଟିଲା ରବିବାରିଆ ଦର୍ଶନ କଟକଣା । ଏଣିକି ପ୍ରତି ରବିବାରରେ ଶ୍ରଦ୍ଧାଳୁମାନେ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ରବିବାର ଅବସରରେ ପୁରୀ ବୁଲିବାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି। ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଭକ୍ତ ମାନଙ୍କ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଥିଲା। ଏବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି ।
ପ୍ରତିଦିନ ଭଳି ରବିବାର ମଧ୍ୟ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ରବିବାରରେ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ଆଜି ପଖାଳ ଦିବସ ହୋଇଥିବା ବେଳେ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହୋଇଥାଏ ।
ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବାରଣ ହୋଇଥିଲା । ସେହିଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିଲା । କିନ୍ତୁ କୋଭିଡ ପ୍ରକୋପ ହ୍ରାସ ପାଇବା ପରେ କିଛି ଦିନ ତଳେ ଛତିଶା ନିଯୋଗ ବୈଠକରେ ରବିବାରିଆ ଦର୍ଶନ କଟକଣା ଉଠାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ସକାଳ ନୀତିକାନ୍ତି ସଅଳ ହୋଇଛି ।
