ପରିବାରର ୪ ଜଣଙ୍କୁ ହତ୍ୟା ଉଦ୍ୟମ କଲା ବଡ଼ପୁଅ : ମା ମୃତ, ୩ ଗୁରୁତର
ପୁରୀ: ପୁରୀ ଜିଲା ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଲିଘାଟ ସୁଭଦ୍ରା ନଗରରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ବଡ଼ପୁଅ ନିଜ ପରିବାରର ୪ ଜଣଙ୍କୁ ହତ୍ୟା ଉଦ୍ୟମ କରିଛି । ଏଥିରେ ମା’ର ମୃତ୍ୟୁ ଘଟିଥିବା ବେଳେ ବାପା ଓ ଭାଇଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ୩ ଜଣଙ୍କୁ ପୁରୀ ଜିଲା ମୁଖ୍ୟ ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଲେ ଝୁନିଲତା ଦୀକ୍ଷିତ । ଅଭିଯୁକ୍ତର ନାଁ ହେଲା ବିଷ୍ଣୁ ପ୍ରସାଦ ଦୀକ୍ଷିତ ।
ସୂଚନା ଅନୁସାରେ ତାଳବଣିଆ ବ୍ରିଜ୍ ସମ୍ମୁଖରେ କୃଷ୍ଣ ପ୍ରସାଦ ଦୀକ୍ଷତଙ୍କ ଏକ ଗ୍ୟାରେଜ ରହିଛି । ଗ୍ୟାରେଜ ପରିଚାଳନା ପାଇଁ ବଡ଼ପୁଅ ବିଷ୍ଣୁ ପ୍ରସାଦଙ୍କ ସମେତ ଅନ୍ୟମାନେ ମଧ୍ୟ ବସିଥାନ୍ତି । ପାରିବାରିକ ଅଶାନ୍ତି କାରଣରରୁ ଆଜି ସକାଳୁ ବିଷ୍ଣୁ ପ୍ରସାଦ ଦୀକ୍ଷିତ ନିଜ ବାପା, ମା’ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କୁ ଆକ୍ରମଣ କରିଥିଲା । ଏଥିରେ ମା’ର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟମାନେ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଝୁନିଲତା ଦୀକ୍ଷିତଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପରିବାରର ମୁଖ୍ୟ କୃଷ୍ଣପ୍ରସାଦ ଦୀକ୍ଷିତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ବଡ଼ପୁଅ ବିଷ୍ଣୁପ୍ରସାଦ ଦୀକ୍ଷିତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
