ପୃଥ୍ୱୀ-୨ର ରାତ୍ରିକାଳୀନ ସଫଳ ପରୀକ୍ଷଣ
ବାଲେଶ୍ଵର : ବାଲେଶ୍ଵର ଜିଲା ଚାନ୍ଦିପୁର ସ୍ଥିତ ସମନ୍ଵିତ ପରୀକ୍ଷଣ କେନ୍ଦ୍ରର ୩ ନଂ ଲଞ୍ଚପ୍ୟାଡରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ରାତ୍ରିକାଳୀନ ସଫଳ ପରୀକ୍ଷଣ । ମଙ୍ଗଳବାର ରାତି ୮ଟା ୩୦ ମିନିଟ୍ ସମୟରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟାବହାରିକ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଉଚ୍ଚ ସଠିକତା ସହିତ ଲକ୍ଷଭେଦ କରିଥିଲା। ଏହି କ୍ଷେପଣାସ୍ତ୍ରର ସମସ୍ତ ବୈଷୟିକ ମାନକ ଓ ପରୀକ୍ଷଣ ସଫଳ ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି।
ପୃଥ୍ବୀ-୨ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ। ରାଡାର୍ ଓ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ଏବଂ ଓଡ଼ିଶା ଉପକୂଳରେ ଥିବା ଟେଲିମେଟ୍ରି ଷ୍ଟେସନ୍ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍କ୍ଷେପଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ୩୫୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍କୁ ଲକ୍ଷ୍ୟଭେଦ ଏବଂ ୫୦୦ରୁ ୧ ଟନ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲମ୍ବ ୯ ମିଟର, ଓସାର ୧୧୦ ସେଣ୍ଟିମିଟର ଏବଂ ଓଜନ ୪.୬ ଟନ୍ ବୋଲି ଜଣାପଡ଼ିଛି। ସୂଚନା ଯେ, ଡିଆରଡିଓ ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ଗତ ୨୦୦୩ରେ ସାମିଲ କରାଯାଇ ସାରିଛି।
