ଜିଲାସ୍ତରୀୟ ଜନରାଜ୍ୟ ଦିବସ ପାଇଁ ପ୍ରଶାସନିକ ପ୍ରସ୍ତୁତି
ବାଲେଶ୍ୱର : ଆସନ୍ତା ୨୬ ତାରିଖ ଜିଲାସ୍ତରୀୟ ଜନରାଜ୍ୟ ଦିବସ ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ଅଧ୍ୟକ୍ଷତା କରିଥିଲେ । ସମ୍ପ୍ରତି କୋଭିଡ କଟକଣା ନଥିବା ବେଳେ ଏହି ଜାତୀୟ ଉତ୍ସବରେ ପୂର୍ବରୁ ହେଉଥିବା ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବଜାୟ ରଖିବାକୁ ଆମେ ପ୍ରସ୍ତୁତ ହେଉଛୁ । ଯଦି ୨୬ ତାରିଖ ପୂର୍ବରୁ କରୋନା ସ୍ଥିତି ଜଟିଳ ଅଭିମୁଖେ ଯାଏ ଓ ସ୍ୱତନ୍ତ୍ର ସରକାରୀ ମାର୍ଗଦର୍ଶିକା ଜାରି ହୁଏ, ତାହେଲେ ଆମେ ସେତେବେଳେ କାର୍ଯ୍ୟକ୍ରମର ରୂପରେଖ ପରିବର୍ତ୍ତନ କରିବା ବୋଲି ଜିଲାପାଳ ସମସ୍ତଙ୍କୁ ଅବଗତ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ପ୍ରମୁଖ ଏଥିରେ ଯୋଗଦେଇ ଆସନ୍ତା ଜନରାଜ୍ୟ ଦିବସ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ପୂର୍ବ ବର୍ଷଭଳି ଏହି ଜନରାଜ୍ୟ ଦିବସରେ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କ ସାମୂହିକ ପ୍ୟାରେଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ, ପଡ଼ିଆରେ ସ୍କୁଲ-କଲେଜ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଟ୍ରୁପଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରାଚୀନ ସମରକଳା ପ୍ରଦର୍ଶନ, ସରକାରୀ ଯୋଜନା ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତ ତଥା ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ, ରକ୍ତଦାନ ଶିବିର, ଚିତ୍ରକଳା ପ୍ରଦର୍ଶନୀ, ପୁଷ୍ପ ପ୍ରଦର୍ଶନୀ, ଡାକ୍ତରଖାନା, ଭିନ୍ନକ୍ଷମ ସ୍କୁଲ ଓ କୁଷ୍ଠାଶ୍ରମରେ ଫଳ ବଣ୍ଟନ, ବାଳାଶ୍ରମ ଅନ୍ତେବାସୀଙ୍କୁ ସୁଷମ ମଧ୍ୟାହ୍ନଭୋଜନ ପଅଦାନ, ଅପରାହ୍ନରେ କୌତୁକିଆ କ୍ରିକେଟ ମ୍ୟାଚ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ପଡ଼ିଆରେ ପ୍ୟାରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍କୁଲ କଲେଜ ଓ ଟ୍ରୁପ ଚୟନ ପାଇଁ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ଏହି କମିଟିରେ ଉପ-ଜିଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସିଡିଏମଓ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସଂଧ୍ୟାରେ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ଉତ୍ସବରେ ପୁରସ୍କାର ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଦୀର୍ଘ ଦୁଇବର୍ଷର କରୋନା କଟକଣା ହଟିଥିବା ବେଳେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ସର୍ବାଙ୍ଗ ସୁନ୍ଦର ଓ ଆକର୍ଷଣୀୟ କରିବା ଉପରେ ବୈଠକରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଆଜିର ଏହି ବୈଠକରେ ବିଗତ ବର୍ଷ କାର୍ଯ୍ୟକ୍ରମର ତଥ୍ୟ ଉପସ୍ଥାପନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
