ଛାତ୍ରୀଙ୍କୁ ଭୋକିଲା ରଖିବା ଘଟଣା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
କରଞ୍ଜିଆ : ମୟୁରଭଞ୍ଜ ଜିଲାର ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସରେ ଥିବା ୯୪ ଛାତ୍ରୀ ଭୋକର ଦାଉ ସହି ନ ପାରି କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଜ ଗୁହାରୀ ଜଣାଇବା ଘଟଣା। ପ୍ରାୟ ଦେଢ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ପ୍ରଧାନ ଶିକ୍ଷୟତ୍ରୀଜଣକ ହେଉଛନ୍ତି ଲୁମେଶ୍ୱରୀ ନାଏକ। ସେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଏସଏସଡି ଛାତ୍ରୀ ନିବାସ ଦାୟିତ୍ୱ ତୁଲାଉ ଥିଲେ।
ଗତ ଅକ୍ଟୋବର ୨୩ରେ ଏସଏସଡି ଛାତ୍ରୀ ନିବାସର ଛାତ୍ରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ହୋଇଥିଲା। ତଦନ୍ତ ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ କରାଯାଇଛି। ନିଲମ୍ବନ ପରେ ଏହି ଦାୟିତ୍ୱରେ ବର୍ତ୍ତମାନର ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।
ସୂଚନା ଯେ, ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ୯୪ ଜଣ ଛାତ୍ରୀ ରୁହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତ ଅକ୍ଟୋବର ୨୬ ତାରିଖ ରାତିରେ ପିଲାମାନେ କିଛି ଖାଇବାକୁ ପାଇ ନ ଥିବା ଅଭିଯୋଗ କରିଥିଲେ। ଏହାପର ଦିନ ସେମାନେ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋକ ଉପାସରେ ରହିଥିଲେ। ତା’ ପରେ ଆଉ ଭୋକ ସମ୍ଭାଳି ନ ପାରି ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି ବିଡ଼ିଓଙ୍କ ପାଖକୁ ଯାଇଥିଲେ। ତେବେ ଉକ୍ତ ଦିନ ବ୍ଲକ କାର୍ଯ୍ୟାଳୟର ବନ୍ଦ ଥିବାରୁ ପିଲାମାନେ ବ୍ଲକ କାର୍ଯ୍ୟାଳୟର ଗେଟ୍ ଆଗରେ ଧାରଣାରେ ବସିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିବା ସହ ଖିଆପିଆ ବ୍ୟବସ୍ଥା କରିଥିଲେ।
