କେନାଲରେ ପଡି ଛାତ୍ରୀ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
କଟକ : ଗତକାଲି ଜଗତପୁର ଅନ୍ତର୍ଗତ କେନ୍ଦ୍ରାପଡା କେନାଲରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସାହି କଲେଜର +୨ ଛାତ୍ରୀଙ୍କ ଶବ ମିଳୀବା ପରେ ଆଜି ଘଟଣାଟି ଭିନ୍ନ ମୋଡ ନେଇଛି । ସଂକ୍ତୃକ୍ତ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାର ପକ୍ଷରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଜଗତପୁର ଥାନାରେ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ୩ଟାରେ +୨ କଳା ଛାତ୍ରୀ ଶ୍ରାବଣୀ ମିଶ୍ରଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଶବ ଉଦ୍ଧାର କରି ଜଗତପୁର ଥାନାକୁ ଖବର ଦେଇଥିଲେ । ତେବେ ଝିଅର ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଜଗତପୁର ଷ୍ଟେସନ ବଜାରର ରଶ୍ମିରଂଜନ ମିଶ୍ରଙ୍କ ଝିଅ ଶ୍ରାବଣୀ ପ୍ରତିଦିନ ପରି ଗତକାଲି କଲେଜକୁ ଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧.୩୦ରେ ଶ୍ରାବଣୀ ନଜରପୁରସ୍ଥିତ ତାଙ୍କ ସାଙ୍ଗ ଶୁଭସ୍ମିତାଙ୍କ ଘରକୁ ଆସିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । କିନ୍ତୁ ଦିନ ୪ଟାରେ ଖବର ପାଇଲେ ଯେ, ତାଙ୍କ ଝିଅର ମୃତଦେହ କେନ୍ଦ୍ରାପଡା କେନାଲରେ ଭାସୁଛି । ଖବର ପାଇ ପରିବାର ଲୋକ ସେଠାରେ ପହଂଚିଲା ବେଳକୁ ସ୍ଥାନୀୟ ଲୋକେ ଶବ ଉଦ୍ଧାର କରିସାରି ଜଗତପୁର ଥାନାକୁ ହସ୍ତାନ୍ତର କରିଛନ୍ତି ଓ ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇଥିବା ଜାଣିବାକୁ ପାଇଲେ । ହେଲେ ଝିଅ ଆତ୍ମହତ୍ୟା କରିବାର କୈାଣସି କାରଣ ନଥିବା କିମ୍ବା ତା’ଠାରେ କୈଣସି ଅସ୍ୱାଭାବିକ ଲକ୍ଷଣ ନଥିବା ଯୋଗୁଁ ସେ କଦାପି ଆତ୍ମହତ୍ୟା କରିନଥିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ତାଙ୍କ ଝିଅକୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ନିମନ୍ତେ କେନାଲରେ ପକାଇ ଦେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ଜଗତପୁର ଥାନା ପୋଲିସ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରବୀନ୍ଦ୍ର ମେହେର ସୂଚନା ଦେଇଛନ୍ତି ।
