ସ୍କୁଲ ସାମ୍ନାରେ ଗର୍ତ୍ତକୁ ନେଇ ଛାତ୍ରଛାତ୍ରୀ ଆତଙ୍କିତ
ତିହିଡ଼ି : ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ଭଗବତୀ ବାଳିକା ହାଇସ୍କୁଲ ଓ ଯୋଗୀ ଋଷି ଲଚ୍ଛମନ ଦାସ ଶିଶୁ ଆଶ୍ରମ ସାମ୍ନାରେ ଏକ ବିରାଟ ଗର୍ତ୍ତ ଖୋଳା ଯାଇଥିବାରୁ ଦୁଇଟି ସ୍କୁଲର ଛାତ୍ରଛାତ୍ରୀମାନେ ଆତଂକିତ ହୋଇ ପଡ଼ିଛନ୍ତି । ଦୀର୍ଘ ଦିନ ଏକ କେବୁଲ ବିଛା କମ୍ପାନୀ ଏହି ଦୁଇଟି ସ୍କୁଲ ସମ୍ମୁଖରେ ଗଭୀର ଗର୍ତ୍ତ ଖନନ କରିଛି । ସେହି ଗର୍ତ୍ତକୁ କମ୍ପାନୀ ପକ୍ଷରୁ ପୋତା ଯାଉନାହିଁ । ଯାହାଫଳରେ ପିଲାମାନେ ସ୍କୁଲ ଯିବା ଆସିବା ସମୟରେ ଗର୍ତ୍ତରେ ପଡ଼ି ଆହତ ହେଉଛନ୍ତି । ଏଥିପାଇଁ ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି । କମ୍ପାନୀ କର୍ମଚାରୀଙ୍କୁ ଗର୍ତ୍ତ ପୋତିବା ନେଇ ସ୍ଥାନୀୟ ଲୋକେ ବହୁବାର କହିଥିଲେ ମଧ୍ୟ ସେମାନେ କୌଣସି କର୍ଣ୍ଣପାତ କରୁନାହାନ୍ତି । ତେବେ ତୁରନ୍ତ ଗର୍ତ୍ତ ପୋତା ନଗଲେ ସ୍ଥାନୀୟ ଲୋକେ ଆନ୍ଦେଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତବାନୀ ଦେଇଛନ୍ତି ।
