ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି: ପ୍ରତିବାଦରେ ରାସ୍ତାରୋକୋ ଆନ୍ଦୋଳନ
କେନ୍ଦୁଝର : ସିଲାବସ୍ ବାହାରୁ ପ୍ରଶ୍ନ ପଡ଼ିବାରୁ କେନ୍ଦୁଝରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ୯୫ ପ୍ରତିଶତ ତୃତୀୟ ବର୍ଷ ଛାତ୍ରୀ ଫେଲ । ରାସ୍ତାକୁ ଓହ୍ଲାଇଲେ ମହିଳା ମହାବିଦ୍ୟାଳୟ ତୃତୀୟ ବର୍ଷ ଛାତ୍ରୀ । ସିଲାବସ୍ ବାହାରୁ ପ୍ରଶ୍ନ ପଡ଼ିଥିବାରୁ ପରୀକ୍ଷାରେ ଉତର ଲେଖି ପାରିନଥିବା ଅଭିଯୋଗ ଆଣି ଶତାଧିକ ଛାତ୍ରୀ ପ୍ରଥମେ ନରଣପୁର-କେନ୍ଦୁଝର ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ପରବର୍ତୀ ସମୟରେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଯୁକ୍ତ ତିନି ତୃତୀୟ ବର୍ଷ ଥାର୍ଡ ସେମିଷ୍ଟର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଶହରୁ ଅଧିକ ଛାତ୍ରୀ କମୁନିକେଟିଭ ଇଂଲିଶ ପରୀକ୍ଷା ଦେଇଥିଲେ । ସିଲାବସ୍ ବାହାରୁ ପ୍ରଶ୍ନ ପଡିଥିବାରୁ ଉତର ଲେଖି ପାରିନଥିଲେ । ସେହି ସମୟରେ ପରୀକ୍ଷା ହଲରେ ହିଁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଗତ ଶୁକ୍ରବାର ପରୀକ୍ଷା ଫଳ ପ୍ରକାଶିତ ହେବାପରେ ୯୦ ପ୍ରତିଶତରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇ ପାରିନଥିବା ଜାଣି ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ଶୀଘ୍ର ସମାଧାନ କରିବା ପାଇଁ ଶନିବାର ଛାତ୍ରୀଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଦରଖାସ୍ତ ପ୍ରଦାନ କରାଯାଇଥିଲା । ସୋମବାର ସମସ୍ୟା ସମାଧାନ କରାଯିବ ବୋଲି କଲେଜ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ସୋମବାର କଲେଜ ଖୋଲିବା ପରେ ଏହି ଦିଗରେ କୌଣସି ପଦକ୍ଷେପ ନିଆନଯିବା ଯୋଗୁଁ ଏହାର ପ୍ରତିବାଦରେ ସକାଳ ୧୦ଟାରୁ ନରଣପୁର-କେନ୍ଦୁଝର ମୁଖ୍ୟରାସ୍ତା ଉପରେ ଛାତ୍ରୀମାନେ ଧାରଣାରେ ବସିଥିଲେ । ଫଳରେ ରାସ୍ତାରେ ଗାଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୁ ଉଠି କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଟାଉନ ଥାନା ପୁଲିସ ଏବଂ ସଦର ତହସିଲଦାର ଘଟଣାସ୍ଥଳରେ ପହଂଚି ଛାତ୍ରୀମାନଙ୍କୁ ବୁଝାସୁଝା କରୁଛନ୍ତି । ଅପରପକ୍ଷେ କିଛି ପିଲା ଉତର ଲେଖିବାରୁ ପାସ୍ କଲେ ମାତ୍ର ଆଉ କିଛି ପରୀକ୍ଷାରେ ଉତର ଲେଖି ନପାରିବା କାରଣରୁ କୃତକାର୍ଯ୍ୟ ହୋଇ ପାରି ନାହାଁନ୍ତି ବୋଲି କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ କୁହଯାଇଛି ।
