ବାଲେଶ୍ୱର ସହରରେ ବେଆଇନ୍ ଉଚ୍ଛେଦ ବିରୋଧରେ କଲେକ୍ଟୋରେଟ୍ରେ ପଥ ବିକ୍ରେତାଙ୍କ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶିତ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ
ବାଲେଶ୍ୱର : ଆଜି ସମଗ୍ର ବାଲେଶ୍ୱର ସହରର ପଥବିକ୍ରେତାମାନେ ପୌର କର୍ତ୍ତୃପକ୍ଷଙ୍କ ବେଆଇନ୍ ଉଚ୍ଛେଦ, ବୋଲଡୋଜର ଲଗାଇ ଭେଣ୍ଡିଙ୍ଗ୍ ଷ୍ଟଲ୍ ଧ୍ୱଂସ ଓ ବିକ୍ରୟ ସାମଗ୍ରୀକୁ ବିନା ଚାଲାଣରେ ଉଚ୍ଛେଦ ସ୍କ୍ୱାର୍ଡ଼ଙ୍କ ଲୁଣ୍ଠନ ପ୍ରତିବାଦରେ ସମଗ୍ର ସହରର ପଥ ବିକ୍ରୟ ବନ୍ଦ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ଏକ ସପ୍ତାହ ଧରି ଅପରିଣାମଦର୍ଶୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ବାଲେଶ୍ୱର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ଟିଭିସିର ବିନା ନିଷ୍ପତ୍ତିରେ ବୋଲଡୋଜର ଲଗାଇ କରାଯାଇଥିବା ଭେଣ୍ଡିଙ୍ଗ୍ ଷ୍ଟଲ୍ଗୁଡ଼ିକର ଧ୍ୱଂସ ଓ ଲୁଣ୍ଠନର ତାଣ୍ଡବ ଲୀଳା ବିରୋଧରେ ବାଲେଶ୍ୱର ପଥ ବିକ୍ରେତା ସଂଘ ଆହ୍ୱାନରେ ନେଶନାଲ୍ ହକର ଫେଡେରେଶନର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସମ୍ପାଦକ, ଓଡ଼ିଶା ପଥ ବିକ୍ରେତା ସଂଘ ସଭାପତି ତଥା ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସଙ୍କ ନେତୃତ୍ୱରେ ଏହି ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଅତୀତରେ ମ୍ୟୁନିସିପାଲ୍ ଆଇନ୍ରେ ପଥବିକ୍ରୟ ବୃତ୍ତି ବେଆଇନ୍ ଥିଲା । ଗତ ୮୦ ଦଶକରେ ସୁପ୍ରିମ୍କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ୱାଇ. ଭି. ଚନ୍ଦ୍ରଚୂଡ଼ ପଥ ବିକ୍ରୟ ବୃତ୍ତିରେ ଜୀବିକା ଅର୍ଜନ ସମ୍ବିଧାନର ମୌଳିକ ଅଧିକାର ଅଟେ ଓ ଅପରାଧ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗଇନ୍ଦା ରାମ ବନାମ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେଶନ ମାମଲାରେ ସୁପ୍ରିମ୍କୋର୍ଟଙ୍କ ଏକ ଖଣ୍ଡପୀଠ ନ୍ୟାୟମୂର୍ତ୍ତି ଜି.ଏସ୍. ସିଙ୍ଗ୍ଭି ଏବଂ ନ୍ୟାୟମୂର୍ତ୍ତି ଅଶୋକ ଗାଙ୍ଗୁଲି ତାଙ୍କ ଐତିହାସିକ ରାୟ ୮ ଅକ୍ଟୋବର ୨୦୧୦ରେ ପଥ ବିକ୍ରୟ ଓ ରାସ୍ତାରେ ଯାତାୟତ ଉଭୟ ଉଭୟଙ୍କର ମୌଳିକ ଅଧିକାର ହୋଇଥିବାରୁ ଉଭୟ ମୌଳିକ ଅଧିକାର ସୁରକ୍ଷା କରିବା ରାଷ୍ଟ୍ରଦାୟିତ୍ୱ ହୋଇଥିବାରୁ ଏହା କେବଳ ଅପରିଣାମଦର୍ଶୀ ପ୍ରଶାସନିକ ନିର୍ଦ୍ଦେଶରେ ନିୟନ୍ତ୍ରିତ ହେବନାହିଁ ଓ ଏଥିପାଇଁ ସ୍ୱତନ୍ତ୍ର ଆଇନ ପଥବିକ୍ରେତା ଜୀବିକା ସୁରକ୍ଷା ଜାତୀୟ ନୀତି ଭିତ୍ତିରେ ୨୦୧୧ ମଧ୍ୟରେ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଲେ । ଏହାପରେ ୨୦୧୩ ମସିହା ସେପ୍ଟେମ୍ବରରେ ଲୋକସଭା ଏବଂ ୨୦୧୪ ମସିହା ଫେବୃଆରୀରେ ସଂସଦର ରାଜ୍ୟ ସଭାର ସର୍ବସମ୍ମତ ଅନୁମୋଦନ ପାଇ ୨୦୧୪ ମାର୍ଚ୍ଚରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ‘ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ-୨୦୧୪’ ଏକ କେନ୍ଦ୍ରୀୟ ଆଇନରେ ପ୍ରଣୀତ ହୋଇ ପହିଲା ମେ’ରୁ କାର୍ଯ୍ୟକାରୀ ହେଲା । ଏହି ଆଇନ୍ ପଥ ବିକ୍ରେତାର ସଜ୍ଞାରେ ରାସ୍ତାପାଶ୍ୱର୍ର ଅସ୍ଥାୟୀ ନିର୍ମିତ ଷ୍ଟେସନାରୀ ଭେଣ୍ଡିଙ୍ଗ୍ ଠାରୁ ମୋବାଇଲ୍ ଭେଣ୍ଡିଙ୍ଗ ସମେତ ସ୍ଥାନୀୟ ଭାଷା ଅଭିଧାନର ସମସ୍ତ ପଥ ପାଶ୍ୱର୍ ବିକ୍ରେତାଙ୍କୁ ବୁଝାଏ । ଯେଉଁ ସହରରେ ଯେତେ ପଥ ବିକ୍ରେତା ଥିବେ ସେମାନଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ଭେଣ୍ଡିଙ୍ଗ୍ ପଞ୍ଜିକରଣ ସାର୍ଟିଫିକେଟ୍ ନଦେଇ ଉଚ୍ଛେଦ ବା ସ୍ଥାନାନ୍ତର ହୋଇପାରିବ ନାହିଁ । ଏହି ପଥ ବିକ୍ରେତାଙ୍କ ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମର ମୁଖ୍ୟ ସଂସ୍ଥା ଭାବେ ଟାଉନ୍ ଭେଣ୍ଡିଙ୍ଗ୍ କମିଟି ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଅଛି । ଟାଉନ୍ ଭେଣ୍ଡିଙ୍ଗ୍ କମିଟିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ ରହିବା ସହ ଏହି କମିଟିରେ ଟାଉନ୍ ପ୍ଲାନିଙ୍ଗ୍ ଅଧିକାରୀ, ଟ୍ରାଫିକ୍ ଓ ପୋଲିସ୍ ଅଧିକାରୀ, ବାଣିଜ୍ୟ ସଂଘ ପ୍ରତିନିଧିଙ୍କ ସମେତ କମିଟିର ମୋଟ ସଭ୍ୟ ସଂଖ୍ୟାର ୪୦% ସଦସ୍ୟ ଟିଭିସି ସଦସ୍ୟ ରହିବା ବ୍ୟବସ୍ଥା ଅଛି । ଏହି ଆଇନ୍ ପ୍ରଣୟନ ପୂର୍ବରୁ ମ୍ୟୁନିସିପାଲ୍ ଆଇନ୍, ରାଜସ୍ୱ ଆଇନ୍ ଓ ପୋଲିସ୍ ଆଇନ୍ରେ ପଥବିକ୍ରେତା ସମ୍ବନ୍ଧୀୟ ସମସ୍ତ ଆଇନ୍ ଅକାମୀ ହେଲା ଓ ଏହି ଆଇନ୍ର ଧାରାଗୁଡ଼ିକ ବଳବତ୍ତର ରହିବା ବିଧି ଅନୁମୋଦିତ ହୋଇଅଛି । ଏହି ଆଇନ୍ରେ ଉଚ୍ଛେଦ ବ୍ୟବସ୍ଥା ନାହିଁ । ସ୍ଥନାନ୍ତର ବ୍ୟବସ୍ଥା ଅଛି । ପଥ ବିକ୍ରୟ ଯେଉଁଠାରେ ଚାଲିଛି ତାହା ଭେଣ୍ଡିଙ୍ଗ୍ ଜୋନ୍ ଓ ତାକୁ ଭେଣ୍ଡିଙ୍ଗ୍ ଜୋନ୍ ମାନ୍ୟତା ଟିଭିସି ବୈଠକରେ ହିଁ ଅନୁମୋଦିତ ହେବା ବିଧେୟ । ଆଇନ୍ରେ ଏ ବ୍ୟବସ୍ଥା ଥିବାବେଳେ ଅତ୍ୟନ୍ତ ଜନବିରୋଧୀ ମଧ୍ୟଯୁଗୀୟ ତାନାଶାହୀ ବିଚାରଧାରାର ପ୍ରଶାସକମାନେ ଏହି ସ୍ୱଳ୍ପ ଆୟକାରୀ ପଥବିକ୍ରେତାଙ୍କ ଷ୍ଟଲ୍ ଧ୍ୱଂସ କରିବା, ସାମଗ୍ରୀ ନଷ୍ଟ ଓ ଚୋରି କରିବାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକପ୍ରତିନିଧି ବ୍ୟବସ୍ଥାକୁ ଖତମ କରି ଏକଛତ୍ରବାଦୀ ଭାବେ ପୌର ପରିଷଦକୁ ବିଶ୍ୱାସକୁ ନନେବା, ବିଧାୟକ ଓ ସାଂସଦମାନଙ୍କୁ ବିଶ୍ୱାସକୁ ନନେବା, ଶହଶହ ବର୍ଷର ଐତିହ୍ୟ ବହନକାରୀ ସ୍ଥାନ ବାଲେଶ୍ୱର ଜିଲ୍ଲାପାଳ ହତା ପରିସରରେ ମିଶନ ଶକ୍ତି ସପିଙ୍ଗ୍ କମ୍ପେ୍ଲକ୍ସ ନାମରେ ଏହାକୁ ବିକ୍ରିବଟାର ହୀନ ପ୍ରୟାସ ଚଳାଇଛନ୍ତି ଏହି ତାନାଶାହୀ ପ୍ରଶାସନ । ମିଶନ୍ ଶକ୍ତି ପାଇଁ ଜିଲ୍ଲା ସଦର ମହକୁମାରେ ଅନେକ ସୁନ୍ଦର ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ସପିଙ୍ଗ୍ ସେଣ୍ଟର ପାଇଁ ପରିତ୍ୟକ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ର ଜମି ପଡ଼ିଆ ପଡ଼ିଛି । ଦୂରଦୃଷ୍ଟିହୀନ ଏହି ପ୍ରଶାସନ ଟିକସ ଫାଙ୍କିର କଳା ରେକର୍ଡ଼ ସୃଷ୍ଟି କରିଥିବା ଇ-କମର୍ସର ଦଲାଲୀ କରିବା ପାଇଁ ଏହି ବେଆଇନ୍ ଧ୍ୱଂସଲୀଳା ଚଳାଇଛନ୍ତି ବୋଲି ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ସ୍ପଷ୍ଟ କରିବା ସହ ଧ୍ୱଂସଲୀଳା ସମ୍ପର୍କରେ ଟିଭିସିର ସ୍ୱତନ୍ତ୍ର ବୈଠକ ଡକାଇବାୁ ଦାବି ସହ ଧ୍ୱଂସ ଲୀଳାର କ୍ଷତି ଭରଣା ଉକ୍ତ ଅସାଧୁ ଅଧିକାରୀଙ୍କ ବେତନର ଭରଣା ସମେତ ଆଇନ୍ କାର୍ଯ୍ୟକାରୀ କରିବା ଇତ୍ୟାଦି ୧୧ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରାଯାଇଛି । ସଂଘର ଉପସଭାପତି ଆବିଦ୍ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ସହ ସମ୍ପାଦକ ଅଭିରାମ ବାରିକ, ଟିଭିସି ସଦସ୍ୟ ରାମଚନ୍ଦ୍ର ପରିଡ଼ା, ଟିପିରି ସିଂ, ଉତ୍କଳ ମହିଳା ସମିତି ଜିଲ୍ଲା ସମ୍ପାଦିକା ବନ୍ଦନା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଗାନ୍ଧୀସ୍ମୃତି ଭବନରୁ ଏକ ଶୋଭାଯାତ୍ରାରେ ଆସି ପଥ ବିକ୍ରେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନକୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି, ଭାରତର କମ୍ୟୁନିଷ୍ଟ୍ ପାର୍ଟି (ମାର୍କ୍ସବାଦୀ) ପକ୍ଷରୁ ସର୍ବଶ୍ରୀ ଶାନ୍ତନୁ ଦାସ, ମାନସ ଦତ୍ତ, ବିକ୍ରମ ପଣ୍ଡା, ଯତୀନ୍ କୁମାର ପାତ୍ର ଓ ପ୍ରେମ ରଞ୍ଜନ ପାତ୍ରଙ୍କ ସମେତ ଭିଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା ସମର୍ଥନ ଜଣାଇ ଉଦବୋଧନ ଦେଇ ପ୍ରଶାସନିକ ଅଧିକାରୀମାନେ ଦେଶର ଆଇନ୍ ମାନନ୍ତୁ ଓ ଲୋକପ୍ରତିନିଧି ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିଙ୍କୁ ବେଖାତିର କରି ଅମଲା ରାଜ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ।
