ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ବାଲେଶ୍ୱର : ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଫ୍ଲାଇଙ୍ଗ୍ ଅଫିସର୍ ଅଶୋକ କୁମାର ଦାଶ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାଶ ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣର ଉପକାରିତା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ବ୍ରଜକିଶୋର ମଲ୍ଲିକ୍ ତଥା ଶିକ୍ଷାବିଭାଗର ଅଧ୍ୟାପକ ରତ୍ନାକର ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜାନୁୟାରୀ ଚାରି ତାରିଖରୁ ଆରମ୍ଭ ହୋଇ ବାର ତାରିଖ ପର୍ଯ୍ୟନ୍ତ ଉକ୍ତ ଆଠ ଦିନ ଧରି ଏହି ଶିବିରରେ ଆତ୍ମରକ୍ଷାର ପ୍ରମୁଖ କୌଶଳ ସବୁ ଶିକ୍ଷା ଦେଇଥିଲେ ମାଷ୍ଟର ଟ୍ରେନ୍ର୍ ଦେବସ୍ମିତା ଜେନା । ଶେଷରେ ସମସ୍ତ ଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ସର୍ବପ୍ରଥମେ ଏହି ଶିବିରର କାର୍ଯ୍ୟକ୍ରମ ଅଧିକାରୀ ଗଣିତ ବିଭାଗର ଅଧ୍ୟାପିକା କବିତା ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଯୋଜକ ରସାୟନ ବିଜ୍ଞାନର ଡେମନ୍ଷ୍ଟ୍ରେଟର୍ ବିପିନ୍ ବିହାରୀ ଗିରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ସୌମ୍ୟରଂଜନ ପ୍ରଧାନ, ରାଜଦର୍ଶୀ ଦାଶ, ରାଜକିଶୋର ଭୋଇ, ସାବିତ୍ରୀ ପତି, ରବିନ୍ଦ୍ର ସ୍ୱାଇଁ, ପୁରୁଷୋତ୍ତମ ମୁଖୀ ପ୍ରମୁଖ ପରିଚାଳନା କରିଥିଲେ ।
