ତିହିଡ଼ି ଚରସ ହାଇସ୍କୁଲରେ ରାଜ୍ୟସ୍ତରୀୟ ଚେସ୍ ଓ ଯୋଗ ପ୍ରତିଯୋଗିତା ପ୍ରସ୍ତୁତି ବୈଠକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ (ଚରସ) ହାଇସ୍କୁଲରେ ଆସନ୍ତା ଜାନୁଆରୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଚେସ୍ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷିରେ ଏକ ପ୍ରସ୍ତୁତି ବୈଠକ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷାଧିକାରୀ କପୀଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହକାରୀ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ମାୟାଧର ସାହୁ ଓ ପ୍ରଣୟ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ଜଗବନ୍ଧୁ ସାହୁ, ଚକ୍ରଧାର ମଲ୍ଲିକ, ଅଧିର କୁମାର ତରେଇ ଓ କୈଳାସ ଚନ୍ଦ୍ର ଜେନା, ଶାରୀରିକ ଶିକ୍ଷା ନିରୀକ୍ଷକ ମାନସ କୁମାର ରାଉତ, ରାଜେନ୍ଦ୍ର କୁମାର ବିଶ୍ୱାଳ, ଭାଗିରଥି ମଲ୍ଲିକ, ତିହିଡ଼ି ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଖେଳ ଶିକ୍ଷକ ଗିରିଜାରମଣ ଜେନା, ଜିତେନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରସାଦ ନାୟକ, ପ୍ରଭାତ ଜେନା, ଗୀତାଞ୍ଜଳି ରଥ, ଗଙ୍ଗାଧର ସେଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୋଗ ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ ଓ ଚେସ୍ରେ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ ବୋଲି ବୈଠକରେ କୁହାଯାଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ । ପ୍ରତିଯୋଗୀମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁସଂଗୀକ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲା ତଥା ତିହିଡ଼ି ଅଞ୍ଚଳର ସମ୍ମାନ ବୃଦ୍ଧି ନିମନ୍ତେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଜିଲା ଶିକ୍ଷାଧିକାରୀ ଶ୍ରୀ ମିଶ୍ର ଜିଲାର ସମସ୍ତ ଲୋକପ୍ରତିନିଧି, ପ୍ରଶାସନ, ଶିକ୍ଷକ, ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।
