ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି : ପୂର୍ବତନ ମୁଖ୍ୟଶାସନ ସଚିବ
ଭୋଗରାଇ : ରାଜ୍ୟ ସରକାର ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରିୟ ବୋଲି ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ଅଦ୍ୟାବଧି ମୌଳିକ ସମସ୍ୟାର ସମାଧାନ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟର୍ଥ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ ଗସ୍ତ କରି ଭୋଗରାଇ କଂଗ୍ରେସ ଭବନ ଠାରେ ଏକ ଖବରଦାତା ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ତାଙ୍କ ବୟାନରେ ଭୋଗରାଇର ଉଦୟପୁର, ତାଳସାରୀ, କୀର୍ତ୍ତନିଆ ସହ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ୱର ମହାଦେବଙ୍କ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିକାଶ ନ ହେବା ରାଜ୍ୟସରକାରଙ୍କୁ ଦାୟୀ କରିଥିଲେ । ଓଡ଼ିଶା ସୀମାନ୍ତରେ ଦୀଘା ସୈକତ ସହର ବିକାଶ ଆମ ପାଇ ଉଦାହରଣ ହୋଇଥିବା ବେଳେ ତାହା ଆକାଶ ପାତାଳ ଫରକ ବୋଲି ପ୍ରକାଶ କରିଥିଲେ । ଭୋଗରାଇ ଅଞ୍ଚଳରେ ଖଡ଼ି, ଇକଡ଼ ଓ ପାନକୁ କୃଷିର ମାନ୍ୟତା ଦେବାକୁ ରାଜ୍ୟସରକାରଙ୍କ ଠାରେ କଂଗ୍ରେସ ସ୍ୱର ଉଠାଇବ ବୋଲି କହିଥିଲେ । ବାଲେଶ୍ୱର ଜିଲାରେ ଶିଳ୍ପର ଭିତ୍ତିଭୂମୀ ଓ ସମ୍ଭାବନା ସୁଦୃଢ଼ ଥିବାବେଳେ ଶିଳ୍ପାୟନ ନ ହେବା ଯୋଗୁଁ ବେକାର ଯୁବକମାନେ କର୍ମ ସଂସ୍ଥାନ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ରାଜ୍ୟ ପାଇ ଲଜ୍ଜାଜନକ ସ୍ଥିତି ବୋଲି ସେ କହିବା ସହିତ ବାଲିଆପାଳ ଚୌମୁଖ ଜନବସତି ଅଞ୍ଚଳରେ ବନ୍ଦର ନ କରି ଭୋଗରାଇ କୀର୍ତ୍ତନିଆରେ ବିଶାଳ ସରକାରୀ ଜାଗାରେ ବନ୍ଦର ନିର୍ମାଣ ସରକାର କରନ୍ତୁ ବୋଲି ସେ ପ୍ରକାଶ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟଶିବ ଦାସ, ଆଶିଷ କୁମାର ପାତ୍ର, ସନ୍ତୋଷ କୁମାର ଜେନା, ଗୋପବନ୍ଧୁ ମହାପାତ୍ର, ସୁମନ୍ତ ବେହେରା, ପ୍ରଦୀପ ନାୟକ, ଶିଶିର କୁମାର ଦାସ ମହାପାତ୍ର, ମମତା ସାହୁଙ୍କ ସମେତ ଦଳର ବରିଷ୍ଠ ଓ ବଳିଷ୍ଠ ନେତାମାନେ ଯୋଗଦେଇ ଭୋଗରାଇର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ କଂଗ୍ରେସର ବରିଷ୍ଠ ଓ ଛାମୁଆ ନେତାଙ୍କୁ ଆଗାମୀ ନିର୍ବାଚନରେ ଦଳର ରଣକୌଶଳ ସ୍ଥିର ପାଇଁ ଗୁରୁମନ୍ତ୍ର ଦେଇଥିଲେ ।
