ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ବାଡୁଳିର ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶନିବାର ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ମୁରଲୀଧର ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ରୂପେ ଗୋଷ୍ଠୀ ସମ୍ବଳ ସଂଯୋଜକ ବିଶ୍ୱମ୍ବର ପଣ୍ଡା ଯୋଗଦେଇ ଆବଶ୍ୟକତା ଅନୁସାରେ ସୂଯୋଗ ଦିଆଗଲେ ଶିଶୁମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ ବୋଲି କହିଥିଲେ । ମୁଖ୍ୟ ଅତିଥି ରୂପେ ମାର୍କୋଣା ନୋଡ଼ାଲ ବିଦ୍ୟାଳୟର ଅବସର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇ ଅଭିଭାବକ, ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କ ସମନ୍ୱୟରେ ଶିକ୍ଷାର ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୋ ସ୍କୁଲ ଅଭିଯାନର ସଭାପତି ନିମାଇଁ ଚରଣ ଯେନା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାକର ଯେନା, ସଂଯୋଜକ ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ବାରିକ ମଞ୍ଚସଞ୍ଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ସିଆରସିସି ପିତବାସ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ, ଶିକ୍ଷୟିତ୍ରୀ ବିଭାସିନୀ ପ୍ରଧାନ ମଞ୍ଚଅହ୍ୱାନ ଓ ଶିକ୍ଷକ ଖଗେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ୭୦ଜଣ କୃତି ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଏହି ବିଦ୍ୟାଳୟର ପୁରାତନ ତଥା ଡାକ୍ତରୀ ଛାତ୍ର ଧନଞ୍ଜୟ ମଳିକ ଓ ଅଜୟ କୁମାର ପାକଳଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
