ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରାର ବୁଟ୍ କ୍ୟାମ୍ପ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରା ୨.୦ର ବୁଟ୍ କ୍ୟାମ୍ପ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଷ୍ଟାର୍ଟ ଅପ୍ ମାଧ୍ୟମରେ ଜଣେ ବ୍ୟକ୍ତି ଆତ୍ମନିର୍ଭରଶିଳ ହୋଇପାରିବ ଏବଂ ନିଜକୁ ସାମାଜିକ ଓ ଆର୍ôଥକସ୍ତରରେ ପ୍ରତିଷ୍ଠିତ କରିପାରିବ ବୋଲି ମତ ପ୍ରକାଶ କରିଥିଲେ ।
ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ କିପରି ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ମତ ଦେଇଥିଲେ । କୁଳସଚିବ କୁକୁମିନା ଦାସ ଏହିପରି ଏକ କର୍ମଶାଳା ନିଶ୍ଚିତ ରୂପେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହେବ । ସେହିପରି କର୍ମଶାଳାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରାର ସଦସ୍ୟ ଆଶା ମହାପାତ୍ର ଅଣୁ, କ୍ଷୁଦ୍ର, ଲଘୁ ଶିଳ୍ପ ତଥା ଉଦ୍ୟୋଗକୁ ଗୁରୁତ୍ୱ ଦେଇ ଷ୍ଟାର୍ଟ ଅପ୍ ଯାତ୍ରା ନିମିତ୍ତ କିପରି ଏକ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ପାରିବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଡ. ଅମରେଶ ପଣ୍ଡା ଯୋଗଦେଇ ଜଣେ ସଫଳ ବ୍ୟବସାୟୀ ତଥା ଆତ୍ମନିର୍ଭରଶୀଳ ବ୍ୟକ୍ତିତ୍ୱ ନିର୍ମାଣ ଦିଗରେ ଷ୍ଟାର୍ଟ ଅପ୍ ଓଡି଼ଶା ଯାତ୍ରା କିପରି ଏକ ଉପଯୁକ୍ତ କ୍ଷେତ୍ର ଯୋଗାଇ ଦେବାରେ ସମର୍ଥ ହୋଇପାରୁଛି ସେ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ । ଏଥିରେ ଡ. ପଙ୍କଜ କୁମାର ପାଢ଼ୀ ସଂଯୋଜନା କରିଥିବା ବେଳେ ସୁଶ୍ରୀ ଆଶା ମହାପାତ୍ର ଏହି କର୍ମଶାଳାର ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ । ଏହି ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀବୃନ୍ଦ ଯୋଗ ଦେଇ ନିଜନିଜର ଅଭିନବ ବିଚାରଧାରା ଉପସ୍ଥାପନ କରିଥିଲେ ।
