ବାଲିଆପାଳରୁ ଦିଲ୍ଲୀ ସାଇକେଲ ଯାତ୍ରା; ୪ ଦିନରେ ୩୫୪ କିଲୋମିଟର ରାସ୍ତା ଅତିକ୍ରମ
ବାଲିଆପାଳ : ମା’, ମାଟି ଓ ମାତୃଭାଷାର ପ୍ରଚାର ସହିତ ମଦମୁକ୍ତ ଓଡ଼ିଶା ପରେ ଏବେ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ସହ ବାଲିଆପାଳରୁ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାର ଲକ୍ଷ୍ୟ ନେଇ ଗତ ୧୦ ତାରିଖ ବଳିଦାନ ଦିବସରୁ ବାଲିଆପାଳରୁ ବାହାରି ଥିବା ସାଇକେଲ ଅଭିଯାତ୍ରୀ ଦଳ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୩୫୪ କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି । ମଙ୍ଗଳବାର ସକାଳେ ଝାଡ଼ଖଣ୍ଡର ଏକ ସରସ୍ୱତୀ ମନ୍ଦିରରୁ ବାହାରି ଝାଡ଼ଖଣ୍ଡର ଚାନ୍ଦିଲ ଡେମ ପରିକ୍ରମା କରିସାରି ଦିଲ୍ଲୀ ଅଭିମୁଖେ ଆଗକୁ ଚାଲିଥିବାର ସୁଚନା ମିଳିଛି ।
ବାଲିଆପାଳ ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଘାଯତିନଙ୍କ ବଳିଦାନ ଦିବସ ଅବସରରେ ପ୍ରତିବର୍ଷ ପରିଷଦର ସଭାପତି ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ଜନ ଜାଗରଣ ସୃଷ୍ଟି ପାଇଁ ସାଇକେଲ ଯାତ୍ରା କରିଥାନ୍ତି । ଚଳିତବର୍ଷ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣର ବାର୍ତ୍ତା ସହ ଦୀର୍ଘ ୨୫ ଦିନରେ ୧୭୫୦ କିଲୋମିଟର ସାଇକେଲ ଯାତ୍ରାର ଲକ୍ଷ୍ୟ ନେଇ ବାଲିଆପାଳରୁ ୭୫ ଜଣ ଦୁଃଶାହସିକ ବ୍ୟକ୍ତିମାନେ ଦିଲ୍ଲୀ ଅଭିମୁଖେ ସାଇକେଲରେ ବାହାରିଛନ୍ତି । ଏହି ସାଇକେଲ ଅଭିଯାତ୍ରୀ ଦଳ ବାଲିଆପାଳରୁ ବାହାରି ପ୍ରଥମ ଦିନରେ ୮୦ କିଲୋମିଟର, ଦ୍ୱିତୀୟ ଦିନରେ ୧୦୨ କିଲୋମିଟର ଯିବା ପରେ ଝାଡ଼ଖଣ୍ଡରେ ପହଞ୍ôଚ ଯାଇଥିଲେ । ତୃତୀୟ ଦିନରେ ୭୫ କିଲୋମିଟର ଅତିକ୍ରମ କରି ଝାଡ଼ଖଣ୍ଡର ଚାନ୍ଦିଲ ଡେମ ବୁଲି ଦେଖି ମଙ୍ଗଳବାର ସେଠାରୁ ବାହାରି ୯୭ କିଲୋମିଟର ଯାଇ ରାତ୍ରୀ ଯାପନ କରିଛନ୍ତି । ୪ ଦିନରେ ୩୫୪ କିଲୋମିଟର ଯାତ୍ରା କରିସାରିଛନ୍ତି । ଏହି ସାଇକେଲ ଅଭିଯାତ୍ରୀ ଦଳରେ ୭୬ ବର୍ଷର ବୟସ୍କ ବ୍ୟକ୍ତିବି ରହିଛନ୍ତି । ସମସ୍ତେ ଏକ ଆଦର୍ଶର ଆହ୍ୱାନରେ ରାଇସୀମା ହିଲର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜର ବାର୍ତ୍ତା ପ୍ରେରଣ କରି ସମାଜର ମହାନ କାର୍ଯ୍ୟକୁ ରାଷ୍ଟ୍ରର ନାୟକଙ୍କୁ ଦାୟିତ୍ୱ ନେବାକୁ ଅନୁରୋଧ କରିବେ ବୋଲି ଯାତ୍ରାର ଆବାହକ ଅରବିନ୍ଦ ବେହେରା ଏକ ବାର୍ତ୍ତା ଦେଇଛନ୍ତି ।
