ଦକ୍ଷିଣ-ପୂର୍ବ ରେଳ ପଥର ଠକାମୀ ପଦାରେ ପଡିଲା ସୂଚନା ଅଧିକାର ଆଇନ ବଳରେ ମଗା ଯାଇଥିବା ତଥ୍ୟରେ ଧରା ପଡିଲା ରେଳ ବାଇର ଠକାମୀ
ସାଂସଦଙ୍କୁ ମଧ୍ୟ ଭୁଲ ତଥ୍ୟ ଦେଉଛି ରେଳବାଇ
ବଲାଣୀ : କେନ୍ଦୁଝର ଜିଲ୍ଲାର ସୀମାନ୍ତ ଖଣି ଅଂଚଳ ବଲାଣି ଖାଦାନ ଷ୍ଟେସନ ପର୍ଯ୍ୟନ୍ତ ଟାଟା- ବଡ଼ବିଲ ପସେଞ୍ଜର ଟ୍ରେନ କୁ ସମ୍ପ୍ରସାରଣ କରିବାକୁ ବିଗତ ଦଶ ବର୍ଷ ହେଲା ବଲାଣି ବିକାଶ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରତିବାଦ ଓ ଅର୍ଥନୈତିକ ଆନ୍ଦୋଳନ କରିଥିଲେ ହେଁ ଦକ୍ଷିଣ-ପୂର୍ବ ରେଳ ପଥ ବୈମାତୃକ ମନୋଭାବ ପୋଷଣ କରି ଲୋକଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ । କେବଳ ଯେ ସୀମାନ୍ତ ଖଣି ଅଂଚଳ ବଲାଣିକୁ ଯାତ୍ରୀ ବାହୀ ଟ୍ରେନ ଚଳାଚଳ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଛି ତାହା ନୁହେଁ ବରଂ ସମଗ୍ର କେନ୍ଦୁଝର ଜିଲ୍ଲାକୁ ଦକ୍ଷିଣ-ପୂର୍ବ ରେଳ ପଥ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ଅତ୍ମୀୟତା ପ୍ରକାଶ କରୁନାହିଁ । କେବଳ ବଲାଣି ଖଣିରୁ ବାର୍ଷିକ ୧୦୦୦ କୋଟି ଟଙ୍କା ଖଣିଜ ପଥର ପରିବହନରେ ଦକ୍ଷିଣ-ପୂର୍ବ ରେଳ ପଥ ରାଜସ୍ୱ ଲାଭ କରୁଥିବା ବେଳେ ଜିଲାରେ ଥିବା ଅନ୍ୟାନ୍ୟ ରେଳ ସାଇଡିଂ ରୁ ମଧ୍ୟ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଲାଭ କରୁଛି । ତେବେ ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଯାତ୍ରୀ ସେବା ବଢାଇବାକୁ ଦାବି ହୋଇଆସୁଥିଲେ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳ ପଥ ସ୍ଥାନୀୟ ଆଦିବାସୀଙ୍କୁ ଯାତ୍ରୀ ସେବା ଯୋଗାଇ ଦେବାରୁ ବଂଚିତ କରୁଛି । ଟାଟା- ବଡ଼ବିଲ ପାସେଞ୍ଜର ଟ୍ରେନକୁ ବଲାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ୨୦୧୩ ମସିହାରେ ବଲାଣି ବିକାଶ ପରିଷଦର ସମ୍ପାଦକ ଶିବାଶିଷ୍ ନନ୍ଦ ଏକ ଦାବି ପତ୍ରର ଦକ୍ଷିଣ-ପୂର୍ବ ରେଳ ପଥକୁ ପ୍ରଦାନ କରିଥିଲେ । ତେବେ ରେଳ ବାଇ ଦ୍ୱାରା ଦିଆଯାଇଥିବା ଉତର ଅତି ହାସ୍ୟାସ୍ପଦ ରହିଥିଲା । ୨୦/୭/୨୦୧୩ ଚିଠି ସଂଖ୍ୟା ଓପିଟି.୬୬/୧/ଟାଟା-ବିବିଏନ ରେ ଦକ୍ଷିଣ-ପୂର୍ବ ରେଳ ପଥର ସିପିଟିଏମ କାର୍ଯ୍ୟାଳୟ ପକ୍ଷରୁ ବଲାଣି ଖାଦାନ ରେଳ ଷ୍ଟେସନ ଏକ ମାଲ ବାହୀ ରେଳ ଷ୍ଟେସନ ହୋଇଥିବାରୁ ଏଠାରେ ପ୍ଲାଟଫୋର୍ମ, ପେୟ ଜଳ ଭଳି ମୌଳିକ ସୁବିଧା ନଥିବାରୁ ପାସେଞ୍ଜର ଟ୍ରେନ ଚଳାଚଳ କରିବା ଅସମ୍ଭବ ବୋଲି ହାସ୍ୟାସ୍ପଦ ଉତର ରଖିଥିଲା ରେଳ ବାଇ । ଏ ନେଇ କେନ୍ଦୁଝର ସାଂସଦ ଇଂ. ଚନ୍ଦ୍ରାଣୀ ମୁର୍ମୁ ୧୫/୯/୨୨ରେ ଟାଟା ନଗର ରେ ଆୟୋଜିତ ପ୍ରଖଣ୍ଡ ସ୍ତରୀୟ ବୈଠକରେ ଜିଲାରେ ଥିବା ବିଭିନ୍ନ ରେଳ ସମ୍ବନ୍ଧୀୟ ଅସୁବିଧା ସମ୍ବନ୍ଧରେ ରେଳ ବୋର୍ଡ ନିକଟରେ ପ୍ରଶ୍ନ ଉଠାଇଥିବା ବେଳେ ଟାଟା- ବଡ଼ବିଲ ପସେଞ୍ଜର ଟ୍ରେନକୁ ବଲାଣି ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବି ଉପସ୍ଥାପନ କରିଥିଲେ । ତେବେ ଦକ୍ଷିଣ-ପୂର୍ବ ରେଳ ପଥ ପୂର୍ବରେ ଦେଇଥିବା ଉତରକୁ ବଦଳାଇ ବଡ଼ବିଲ ଠାରୁ ବଲାଣି ପର୍ଯ୍ୟନ୍ତ ଥିବା ରେଳ ଧାରଣାରେ ଉଚ୍ଚ ଗ୍ରାଡ଼ିଏଂଟ ରହିଥିବାରୁ ଉକ୍ତ ରେଳ ଧାରଣାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ସମ୍ଭବପର ନୁହଁ ବୋଲି ଉତର ରଖିଥିଲେ । ତେବେ ସମାନ ପ୍ରଶ୍ନର ଉତରରେ ଦକ୍ଷିଣ-ପୂର୍ବ ରେଳ ପଥର ପ୍ରଭେଦ ରହୁଥିବାରୁ ଦକ୍ଷିଣ-ପୂର୍ବ ରେଳ ପଥ ସ୍ଥାନୀୟ ଅଂଚଳର ଅଧିବାସୀଙ୍କୁ ଠକୁ ଥିବାର ପ୍ରମାଣ ମିଳୁଛି । ତେବେ ଟାଟା-ବଡ଼ବିଲ ସଂପ୍ରସାରଣ ନେଇ ରେଳବାଇ ଯେଉଁ ଉତର କେନ୍ଦୁଝର ସାଂସଦଙ୍କ ନିକଟରେ ରଖିଥିଲା ଉକ୍ତ ସମ୍ବନ୍ଧରେ ସୂଚନା ଅଧିକାର ଆଇନ ବଳରେ ମଗା ଯାଇଥିବା ସୂଚନାରୁ ରେଳ ବିଭାଗର ଠକାମୀ ପଦାରେ ପଡିଛି । ବଲାଣି ବିକାଶ ପରିଷଦର ଆବାହକ ଶୁବାଶିଷ ନନ୍ଦ ସୂଚନା ଅଧିକାର ଆଇନ ବଳରେ ଦକ୍ଷିଣ-ପୂର୍ବ ରେଳ ପଥ କୁ ବଡ଼ବିଲ – ବଲାଣି ରେଳ ଧାରଣା ରେ ଥିବା ଗ୍ରାଡିଏଂଟ କଣ ରହିଛି ? ଉକ୍ତ ଗ୍ରାଡିଏଂଟ ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ସମ୍ଭବପର କି ନୁହଁ ? ଏହି ରେଳ ଧାରଣାରେ ବିଗତ ପାଂଚ ବର୍ଷରେ କୌଣସି ଦୁର୍ଘଟଣା ଘଟିଛି କି ? ଆଦି ସୂଚନା ମାଗିଥିଲେ । ତେବେ ଆଶ୍ଚର?୍ୟ୍ୟର ବିଷୟ ପୂର୍ବରୁ ବଲାଣି ବିକାଶ ପରିଷଦକୁ ଦେଇଥିବା ଉତର ଓ କେନ୍ଦୁଝର ଇଂ.ଚନ୍ଦ୍ରାଣୀ ମୁର୍ମୁ ଙ୍କୁ ଦେଇଥିବା ଉତରର ବିପରୀତ ଚିଠି ସଂଖ୍ୟା ଇଏନଜିଜି/ଜି/ଆର ଟି ଆଇ/ଶୁବାଶିଷ ନନ୍ଦ/୪୦/୨୦୨୨ ମାଧ୍ୟମରେ ଖୋଦ ରେଳ ବିଭାଗ ବଡ଼ବିଲ- ବଲାଣି ରେଳ ଧାରଣାରେ ଥିବା ଗ୍ରାଡିଏଂଟ ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ସମ୍ଭବପର ଓ ବିଗତ ପାଂଚ ବର୍ଷରେ ଉକ୍ତ ରେଳ ଧାରଣାରେ କୌଣସି ଦୁର୍ଘଟଣା ଘଟି ନଥିବାର ଦକ୍ଷିଣ-ପୂର୍ବ ରେଳ ପଥ ପରିଷ୍କାର ସୂଚନା ପ୍ରଦାନ କରିଛି । ଏପରିକି ସାଂସଦଙ୍କୁ ମଧ୍ୟ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିବାରେ ପଛାଇ ନାହିଁ ଦକ୍ଷିଣ-ପୂର୍ବ ରେଳ ପଥ । ଏଥିରୁ ପ୍ରମାଣ ହେଉଛି ଯେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରୁ କେବଳ ରାଜସ୍ୱ ଲାଭ କରିବା ବ୍ୟତୀତ ଜିଲ୍ଲାକୁ ଯାତ୍ରୀସେବା ପ୍ରଦାନ କରିବାରେ ଆନ୍ତରିକତା ଦେଖାଉନାହିଁ ଦକ୍ଷିଣ-ପୂର୍ବ ରେଳ ପଥ । ତେବେ ରେଳ ବାଇର ଜିଲା ପ୍ରତି ରହିଥିବା ବୈମାତୃକ ମନୋଭାବ ବିରୋଧରେ ସ୍ଥାନୀୟ ଜନ ପ୍ରତିନିଧି ଦାବି ଉପସ୍ଥାପନ କରିବା ସହିତ ସ୍ଥାନୀୟ ଅଧିବାସୀଙ୍କୁ ଅଧିକରୁ ଅଧିକ ଯାତ୍ରୀବାହୀ ଟ୍ରେନ ସୁବିଧା ଯୋଗାଇଦେବାକୁ ଦାବି ହେଉଛି ।
