କେନ୍ଦୁଝର : ଜାନୁଆରୀ ୨୨ ରୁ ୨୬ ମିନି ପଲ୍ଲୀଶ୍ରୀ ମେଳା
କେନ୍ଦୁଝର : ଓଡିଶାରେ ଏଫ୍.ଆଇ.ଏଚ୍. ଓଡିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ରାଜ୍ୟରେ ଉତ୍ସବର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି । ଏହାର ଅଂଶ ସ୍ୱରୂପ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚଳିତ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାସ୍ଥ କାଳୀ ପଡିଆଠାରେ ମିନି ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦ କନ୍ଫରେନ୍ସ ହଲ ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ ଜଣାଇ ପଲ୍ଲୀଶ୍ରୀ ମେଳାର ସଫଳତା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଏହି ବୈଠକରେ ମିନି ପଲ୍ଲୀଶ୍ରୀ ମେଳାର ଆୟୋଜନ ଓ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଓରମାସର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ଏସ୍.ଡି.ପି.ଓ କେନ୍ଦୁଝର ମହେନ୍ଦ୍ର ନାଥ ମୁର୍ମୁ, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ସଂଜୀବ ବାରିକ, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଶିଶିର ଷଡଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ବ୍ୟାଙ୍କ୍ର କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କଠାରୁ ଆସିଥିବା ମାର୍ଗଦର୍ଶିକା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ନିଷ୍ପତି ଅନୁଯାୟୀ ମିନି ପଲ୍ଲିଶ୍ରୀ ମେଳାରେ ୫୦ଟି ଷ୍ଟଲ୍ (ପ୍ରଦର୍ଶନୀ ମଣ୍ଡପ) ଖୋଲାଯିବ । ଏଥି ମଧ୍ୟରୁ ୭ଟି ଖାଦ୍ୟ ଷ୍ଟଲ୍ ରହିବ । ଷ୍ଟଲମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ସହିତ ବିକ୍ରୟ ବ୍ୟବସ୍ଥା ରହିବ । ଜାନୁଅ।।ରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ପଲ୍ଲୀଶ୍ରୀ ମଂଚରେ ସାଂସ୍କୃତିକ ସମାରୋହ ଆୟୋଜିତ ହେବ । ସ୍ଥାନୀୟ କଳାକାରମାନଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର କଳାକାର ଏଥିରେ ଅଂଶଗ୍ରହଣ କରିବେ । ପଡିଆରେ ପୁଷ୍ପ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏତଦ୍ବ୍ୟତୀତ ପଲ୍ଲୀଶ୍ରୀ ମେଳା ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ହକି ହୈ ଦିଲ ମେରା” ଶୀର୍ଷକ ଉପରେ ଚିତ୍ରକଳା, କୁଇଜ୍ ପ୍ରତିଯୋଗିତା ଏବଂ ଲାଇଭ୍ କୁଇଜ୍ ପ୍ରତିଯୋଗିତା ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକରେ ଆଇନଶୃଙ୍ଖଳା, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପ୍ରଚାର ପ୍ରସାର, ପାନୀୟ ଜଳ ବ୍ୟବସ୍ଥା, ଆଶୁ ଚିକିତ୍ସା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
