ରାମାୟଣ ହେଉଛି ଦିବ୍ୟପ୍ରେମର ସର୍ବଶ୍ରେଷ୍ଠ ଗ୍ରନ୍ଥ : ରାଜ୍ୟପାଳ
ଭୁବନେଶ୍ୱର : ରାମାୟଣ ହେଉଛି ଦିବ୍ୟପ୍ରେମର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏଥିରେ ଅଛି ସଫଳ ଓ ସାର୍ଥକ ଜୀବନ ଜିଇଁବାର ସୂତ୍ର । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ସକଳ ଶାଶ୍ୱତ ଗୁଣର ଆଧାର ଏବଂ ତାଙ୍କ ଆଦର୍ଶର ଚିରନ୍ତନ ପ୍ରାସଙ୍ଗିକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କବି ସଂଗମ ଆନୁକୂଲ୍ୟରେ ଆୟୋଜିତ ଶ୍ରୀରାମ କାବ୍ୟପାଠ କବି ସମ୍ମେଳନରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପୁରୁଷ ଓ ପ୍ରକୃତିର ସଂଗମ ହେଉଛନ୍ତି ଶ୍ରୀରାମ । ସେ ସମସ୍ତ ଦିବ୍ୟଗୁଣର ଅଧିକାରୀ । ତେବେ ସୀତାଙ୍କ ବ୍ୟତିରେକ ସେ ଅପୂର୍ଣ୍ଣ । ରାମଙ୍କର ବିକଳ୍ପ ସମ୍ଭବ ହେଇପାରେ କିନ୍ତୁ ସୀତା ଅନନ୍ୟା । ରାମାୟଣରେ ସୀତାଙ୍କ ଚରିତ୍ରର ପୁନଃମୂଲ୍ୟାୟନ କରିବାକୁ ରାଜ୍ୟପାଳ କହିଥିଲେ ।
ରାଷ୍ଟ୍ରୀୟ କବି ସଂଗମର ଅଧ୍ୟକ୍ଷ ଜଗଦୀଶ ମିତଲ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ଦେଶବିଦେଶରେ ଏହାର ବ୍ୟାପ୍ତି ଉତ୍ସାହଜନକ ହୋଇଥିବା ପ୍ରକାଶ କରିଥିଲେ । ରାଷ୍ଟ୍ରୀୟ ସହ ମହାମନ୍ତ୍ରୀ ମହେଶ ଶର୍ମା, ଓଡ଼ିଶା ଶାଖାର ଅଧ୍ୟକ୍ଷ ଗଜାନନ୍ଦ ଶର୍ମା, ସଂରକ୍ଷକ ଅଜୟ ଅଗ୍ରୱାଲ, ମହାମନ୍ତ୍ରୀ ପୁଷ୍ପା ସିନ୍ଧି ପ୍ରମୁଖ ଶ୍ରୀରାମ ବନଗମନ ପଥ କାବ୍ୟଯାତ୍ରାର ଉପଲବ୍ଧି ସଂପର୍କରେ ଆଲୋଚନା କରିଥିଲେ । ଏହି ଉପଲକ୍ଷେ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ପୂର୍ବରୁ ଆୟୋଜିତ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
