ଓଲିଭ ରିଡଲେ ସଂରକ୍ଷଣରେ ଓଡ଼ିଶା ମଡେଲ
- ପ୍ରଜନନ ନିମନ୍ତେ୬୬ଟି ପେଟ୍ରୋଲିଂ କ୍ୟାମ୍ପ୍
- ନଭେମ୍ବର ୧ରୁ ମେ ୩୧ ତାରିଖ ମାଛଧରା ନିଷେଧ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଲିଭ୍ ରିଡଲେ କଇଁଚ୍ଛଙ୍କ ସୁରକ୍ଷା, ପ୍ରଜନନ ଏବଂ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ସମନ୍ୱିତ ମଡେଲ୍ ସର୍ବଶ୍ରେଷ୍ଠ ପ୍ରାମାଣିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି । ପ୍ରକୃତିର ଏହି ଅମୂଲ୍ୟ ସଂପତିର ସଂରକ୍ଷଣ ନିମନ୍ତେ କ୍ଷେତ୍ରସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ପୋଲିସ୍, ସମୁଦ୍ରତଟ ପୋଲିସ୍, ତଟ ସୁରକ୍ଷା ବାହିନୀ, ସଂପୃକ୍ତ ଜିଲ୍ଲା ପ୍ରଶାସନ ଏବଂ ବନ୍ଦର କର୍ତୁପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ସାମିଲ୍ କରି ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ-ଅଭିଯାନର ରୂପଦେବା ସହ ଏ କ୍ଷେତ୍ରରେ ଓଡ଼ିଶାର ପରିଚୟକୁ ଅଧିକ ଜାଜୁଲ୍ୟମାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଓଲିଭ୍ ରିଡଲେ ପ୍ରଜନନ ଋତୁ ନିମନ୍ତେ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଏଥି ନିମନ୍ତେ ୨୦୨୧ ମସିହା ନଭେମ୍ବର ୧ ତାରିଖ ଠାରୁ ୨୦୨୨ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ମଧ୍ୟରେ ମାଛମରା ନିଷେଧ ଜାରି ରଖିବା ପାଇଁ ନିଷ୍ପତି ହୋଇଥିଲା । ଯନ୍ତ୍ର ଚାଳିତ ଡ଼ଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ । ବିନା ମଟର ବୋଟ୍ ରେ ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜିବୀ ମାନଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡ଼ି.ଆର.ଡ଼ି.ଓ ଏବଂ ଉପକୂଳବର୍ତୀ ୩ଟି ବନ୍ଦର କର୍ତୁପକ୍ଷ ମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତୀବ୍ର ଆଲୋକ ରଶ୍ମି ଓଲିଭ୍ରିଡ୍ଲେଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଆଲୋକ ରଶ୍ମି ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା । ମିଳିତ ଅପରେସନ୍ ନିମନ୍ତେ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଆର୍ ରଘୁ ପ୍ରସାଦ କହିଥିଲେ ଯେ ଇତି ମଧ୍ୟରେ ମତ୍ସ୍ୟଜିବୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମାଧ୍ୟମରେ ମତ୍ସ୍ୟଜିବୀମାନେ ମାଛମରା ନିଷିଦ୍ଧ ଅଂଚଳର ସୀମା ଦେଖି ପାରିବେ । ନିଷିଦ୍ଧ ଅଂଚଳକୁ ପଶିବା ସଂଗେ ସଂଗେ ସେମାନେ ଗୋଟିଏ ଆଲର୍ଟ ମେସେଜ୍ ପାଇବେ । ଏହି ଆପକୁ ନିଜ ମୋବାଇଲରେ ଡାଉନଲୋଡ୍ କରି ବୋଟମାନଙ୍କର ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପ୍ରମୁଖ ପ୍ରଧାନ ବନ ସଂରକ୍ଷକ ଶିଶିର କୁମାର ରଥୋ, ପ୍ରଧାନ ମୁଖ୍ୟ ସଂରକ୍ଷକ(ବନ୍ୟଜନ୍ତୁ) ଶଶି ପଲ୍, ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି (ହେଜ୍ ମାଦୀ), ତଟ ସୁରକ୍ଷା ବାହିନୀ କମାଣ୍ଡାଂଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡ଼ି.ଆରଡ଼ି.ଓ, ଆଇ.ଟି.ଆର, ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତୁପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
