ଫେକର କାରଖାନା ପରିସରରେ ପୁଣି ବଢ଼ିଲା ୧୪୪ ଅବଧି
ଆହତ ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ
ଭଦ୍ରକ : ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ଅବଧି ବୃଦ୍ଧି । ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଛି । କିଛି ଅଘଟଣ ଆଶଙ୍କାରେ ସୋମବାର ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରହିବ । ଫେକର କାରଖାନା ପରିସର ସମେତ ଏହାର ଆଖପାଖ ଅଞ୍ଚଳର ୨୦୦ ମିଟର ପର୍ଯ୍ୟନ୍ତ ଏହି ୧୪୪ ଧାରା ଲାଗୁ କରାଯାଇଛି। ତେବେ ଦୁର୍ଘଟଣାକୁ ନେଇ ପୂର୍ବରୁ ୨ ଥର ୧୪୪ ଧାରା ଅବଧିକୁ ବୃଦ୍ଧି କରାଯାଇଥିଲା।
ସୂଚନା ଯେ, ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର କାରଖାନା ଭିତରେ ଗତ ମଙ୍ଗଳବାର ଦିନ କାମ କରୁଥିବା ସମୟରେ ନିଆଁ ଝୁଲ ପଡି ଦୁଇ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ବର୍ଣ୍ଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
