ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ
ସାଲେପୁର : କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ମୃତ୍ୟୁ ହୋଇଛି । ଏହାପରେ ଯଶପଡ଼ା ପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏନେଇ ସାଲେପୁର ବିଡିଓ ରାଜିବ ଲୋଚନ ପରିଡ଼ା ସୂଚନା ଦେଇଛନ୍ତି ।
ସୂଚନା ଯେ, ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ସେ ତାଙ୍କ ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା କରିଥିଲେ। ଏହାପରେ ସେ ତାଙ୍କର ନିତ୍ୟକର୍ମ ସାରି ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କ ସ୍ବାମୀ ସରୋଜ ବେହେରା ଘରକୁ ଫେରି ନମିତାଙ୍କ ଶୋଇବା ଘର କବାଟ ବାଡେଇଥିଲେ। ତେବେ ସେ ଶୁଣି ନଥିଲେ। ବାରମ୍ବାର ଡାକିବା ପରେ ବି ନମିତା ନ ଶୁଣିବାରୁ ତାଙ୍କ ସ୍ବାମୀ କବାଟକୁ ଧକ୍କା ମାରି କବାଟ ଖୋଲିଥିଲେ। ନମିତାଙ୍କୁ ଅଚେତ ଅବସ୍ଥାରେ ଖଟରେ ଶୋଇଥିବା ଦେଖିଥିଲେ। ତାଙ୍କ ପାଟିରୁ ଅଳ୍ପ ଫେଣ ବାହାରୁଥିଲା। ତାଙ୍କୁ ଉଠାଇବା ପାଇଁ ସେ ଚେଷ୍ଟା କରିଥିଲେ ମଧ୍ୟ ନମିତା ଉଠିନଥିଲେ। ୧୦୮ ଆମ୍ବୁଲାନ୍ସ ଡାକି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଯଶପଡ଼ା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ତାଙ୍କ ନିଜସ୍ୱ ୧୩ନମ୍ବର ୱାର୍ଡ ବାସୀ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଏହି ବୁଥକୁ ଭୋଟ ଦେବାକୁ କେହି ଆସି ନ ଥିଲେ। ପ୍ରଥମ ୧ଘଣ୍ଟାରେ ଏହି ବୁଥରେ କୌଣସି ଭୋଟ ପଡିନଥିଲା। ଏପରିକି ଏଜେଣ୍ଟ ମଧ୍ୟ ଆସିନଥିଲେ। ଖବରପାଇ ସଦର ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରାଜୀବ ଲୋଚନ ପରିଡ଼ା ବୁଥରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ୮ଟା ୧୫ ରେ ମତଦାନ ଆରମ୍ଭ ହୋଇଥିଲା। ତେବେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ପଞ୍ଚାୟତରେ ସରପଞ୍ଚ ଭୋଟକୁ ବାତିଲ କରାଯାଇଛି।
