୧୦ରୁ ସନ୍ତୋଷ ଟ୍ରଫି : ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ରକୁ ଭେଟିବ ଓଡ଼ିଶା
ଭୁବନେଶ୍ୱର : ୧୯୪୧ ମସିହାରୁ ଆରମ୍ଭ ହୋଇଥିଲା ସନ୍ତୋଷ ଟ୍ରଫି ଫୁଟବଲ । ଇତିମଧ୍ୟରେ ୮୨ ବର୍ଷ ବିତିଗଲାଣି । ରେକର୍ଡ ଦେଖିଲେ ଯାହା ଜଣାଯାଏ ଓଡ଼ିଶା ଏହି ପ୍ରତିଯୋଗିତାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ଭାଗ ନେଇ ଆସୁଛି । କିନ୍ତୁ ଥରୁଟିଏ ଦଳ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିପାରି ନାହିଁ । ଏଥର ୨୦୨୨-୨୩ ସଂସ୍କରଣ ମୁଖ୍ୟ ପର୍ଯ୍ୟାୟର ଗ୍ରୁପ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଚାଲିବ । ଗ୍ରୁପ୍ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଟି ଲେଖାଏଁ ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ । ଆୟୋଜକ ଓଡ଼ିଶା ଗ୍ରୁପ୍ ଏ’ରେ ଗୋଆ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ସହିତ ରହିଛି । ସେହିପରି ଗ୍ରୁପ୍ ବି’ରେ ଦିଲ୍ଲୀ, ମେଘାଳୟ, ରେଲୱେ, ସର୍ଭିସେସ, ପଶ୍ଚିମବଙ୍ଗ ଓ ମଣିପୁର ଦଳ ରହିଛନ୍ତି । ଓଡ଼ିଶା ଫେବ୍ରୁଆରୀ ୧୦ରେ ମହାରାଷ୍ଟ୍ର, ୧୨ରେ ଗୋଆ, ୧୪ରେ ପଞ୍ଜାବ, ୧୭ରେ କେରଳ ଏବଂ ୧୯ରେ କର୍ଣ୍ଣାଟକକୁ ଭେଟିବ । ଯାହା ସୂଚନା ରହିଛି, ଟୁର୍ଣ୍ଣାମେଂଟର ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ବିଦେଶରେ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଏଥର ଉନ୍ନତ ପ୍ରଦର୍ଶନ କରି ସେମି ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି । ସେଥିପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି ।
ପୂର୍ବ ରେକର୍ଡରୁ ଯାହା ଜଣାପଡ଼େ, ଓଡ଼ିଶା ୧୯୫୦-୫୧ ସିଜନରେ ସେମି ଫାଇନାଲ ଖେଳିଥିଲା । ସେମି ଫାଇନାଲରେ ବେଙ୍ଗଲକୁ ଭେଟିଥିଲା ଏବଂ ବେଙ୍ଗଲ ୫-୦ ଗୋଲରେ ବିଜୟୀ ହୋଇଥିଲା । ୨୦୦୧- ୦୨ରେ ଦଳ କ୍ୱାର୍ଟର ଫାଇନାଲ ଖେଳିଥିଲା । କେରଳ, ଆସାମ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲା । ୨୦୦୨-୦୩ରେ ବି କ୍ୱାର୍ଟର ଖେଳିଥିଲେ ବି ମଣିପୁର ଓ ତାଲିମନାଡୁ ଠାରୁ ପରାସ୍ତ ହୋଇଥିଲା । ୨୦୦୪-୦୫, ୨୦୦୫-୦୬ ଏବଂ ୨୦୦୬-୦୭ରେ କ୍ୱାର୍ଟର ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲା । ପରବର୍ତୀ ସମୟରେ ଦଳର ପ୍ରଦର୍ଶନ ଖରାପ ରହିଥିଲା । ୨୦୧୧-୧୨ରେ କ୍ୱାର୍ଟରରେ ଦଳ ଭଲ ପ୍ରଦର୍ଶନ କରିଥିଲେ ୨ ପଏଂଟ ଅଧିକ ପାଇ ସର୍ଭିସେସ ଗ୍ରୁପ୍ ଟପ୍ପର ହେବା ସହ ସେମିରେ ପ୍ରବେଶ କରିଥିଲା । ଓଡ଼ିଶା କ୍ୱାର୍ଟରରେ ୨ଟି ଡ୍ର’ ଏବଂ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିଲା । ୨୦୧୭-୧୮ରେ ସମସ୍ତ ମ୍ୟାଚ୍ରେ ପରାଜିତ ହୋଇ ସେମିକୁ ଉନ୍ନୀତ ହୋଇପାରି ନଥିଲା ଓଡ଼ିଶା । ୨୦୧୮-୧୯ରେ ସମାନ ଫଳାଫଳ ଦେଖିବାକୁ ମିଳିଥିଲା । ଗ ତ ୨ ୦ ୨ ୧ – ୨ ୧ ସଂସ୍କରଣରେ ଯୋଗ୍ୟତା ପର୍ଯ୍ୟାୟର ଆୟୋଜକ ରହିଥିଲା ଓଡ଼ିଶା । ମୁଖ୍ୟ ପର୍ଯ୍ୟାୟରେ ଦଳ କର୍ଣ୍ଣାଟକ ସହ ସମାନ ୭ ପଏଂଟ ପାଇଥିଲେ ବି ଗୋଲ ବ୍ୟବଧାନରେ ପଛରେ ରହି ତୃତୀୟ ସ୍ଥାନ ସହ ବିଦାୟ ନେଇଥିଲା । ଏଥର କିନ୍ତୁ ଓଡ଼ିଶା ଗ୍ରୁପ୍ର ଶ୍ରେଷ୍ଠ ୨ଟି ସ୍ଥାନ ମଧ୍ୟରେ ରହି ସେମି ଫାଇନାଲ ଖେଳିବା ଉପରେ ଅଧିକ ଫୋକସ କରିଛି ।
