ଜାଣନ୍ତୁ ବର୍ଡର-ଗାଭାସ୍କର ଟ୍ରଫିର କ’ଣ ରହିଛି ଇତିହାସ
ନୂଆଦିଲ୍ଲୀ : ବିଶ୍ୱ କ୍ରିକେଟ୍ର ଦୁଇ ମହାଶକ୍ତି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାକୁ ବର୍ଡର-ଗାଭାସ୍କର ଟ୍ରଫି ଭାବେ ନାମିତ କରାଯାଇଛି । ଏହାର ୨୦୨୩ ସଂସ୍କରଣ ଆଜିଠାରୁ ନାଗପୁରରେ ଆରମ୍ଭ ହେଉଛି । ଏହି ଶୃଙ୍ଖଳାରେ ୪ଟି ଟେଷ୍ଟମ୍ୟାଚ୍ ରହିଛି । ବାକି ୩ଟି ଟେଷ୍ଟମ୍ୟାଚ୍ ପୁଣେ (ଫେବୃଆରୀ ୧୭), ଧର୍ମଶାଳା (ମାର୍ଚ୍ଚ ୧) ଓ ଅହମ୍ମଦାବାଦ (ମାର୍ଚ୍ଚ ୯)ରୁ ଖେଳାଯିବ ।
୧୯୪୭-୪୮ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଥିଲା । ହେଲେ ୧୯୯୬-୯୭ରୁ ଏହି ଶୃଙ୍ଖଳାକୁ ବର୍ଡର-ଗାଭାସ୍କର ଟ୍ରଫି ନାମ ଦିଆ ଯାଇଥିଲା । ସେତେବେଳେ ଟେଷ୍ଟ କ୍ରିକେଟ୍?ରେ ଦୁଇ ସର୍ବାଧିକ ରନ୍ ସ୍କୋରର୍ ଆଲାନ୍ ବର୍ଡର (ଅଷ୍ଟ୍ରେଲିଆ) ଓ ସୁନୀଲ ଗାଭାସ୍କର (ଭାରତ)ଙ୍କ ନାମରେ ଏହି ଶୃଙ୍ଖଳା ନାମିତ ହୋଇଥିଲା । ଏହା ପରଠାରୁ ବର୍ଡର-ଗାଭାସ୍କର ଟ୍ରଫିର ୧୫ଟି ସଂସ୍କରଣ ଖେଳାଯାଇଛି । ଏଥିରୁ ଭାରତ ୯ଟି ଓ ଅଷ୍ଟ୍ରେଲିଆ ୫ଟି ଜିତିଥିବା ବେଳେ ଗୋଟିଏ ଶୃଙ୍ଖଳା ଡ୍ର ରହିଥିଲା । ୧୯୯୬-୯୭ରୁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୨ଟି ସଂସ୍କରଣ ଭାରତ ଜିତିଥିଲା ।
୧୯୯୯-୨୦୦୦ ସଂସ୍କରଣରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ପରବର୍ଷ ଏହାକୁ ଜିତି ଏବଂ ୨୦୦୩-୦୪ରେ ଡ୍ର ରଖି ଭାରତ ପୁଣି କ୍ରମାଗତ ୨ ଥର ନିଜପାଖରେ ଟ୍ରଫି ରଖିଥିଲା । ପରବର୍ତୀ ୨ଟି ସଂସ୍କରଣ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଭାରତ ପୁଣି ୨ଟି ସଂସ୍କରଣ ଟ୍ରଫି ରଖିଥିଲା । ୨୦୧୧-୧୨ରେ ଅଷ୍ଟ୍ରେଲିଆ, ୨୦୧୨-୧୩ରେ ଭାରତ ଏବଂ ୨୦୧୪-୧୫ରେ ଅଷ୍ଟ୍ରେଲିଆ ନିଜମାଟିରେ ଶୃଙ୍ଖଳା ଜିତି ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଥିଲା । ୨୦୧୬-୧୭ରୁ ଅଦ୍ୟାବଧି କ୍ରମାଗତ ୩ଟି ସଂସ୍କରଣ ବର୍ଡର-ଗାଭାସ୍କର ଟ୍ରଫି ଭାରତ ଜିତିପାରିଛି । ୨୦୧୬-୧୭ରେ ଭାରତ ଘରୋଇ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଥିବା ବେଳେ ପରବର୍ତୀ ୨ଟି ସଂସ୍କରଣରେ; ତାହା ପୁଣି ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିଥିଲା । ଫଳରେ ଗତ ୬ ବର୍ଷ ହେଲା ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି । ଏଥର ଘରୋଇମାଟିରେ ଭାରତ ଖେଳୁଥିବାରୁ କ୍ରମାଗତ ୪ଟି ସଂସ୍କରଣ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ଫେଭରିଟ୍ ଅଛି । ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ରନ୍ କରିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର । ୩୪ଟି ଟେଷ୍ଟର ୬୫ଟି ଇନିଂସରୁ ସଚିନ ୯ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୨୬୨ ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ପାଇଁ ପୂର୍ବତନ ଅଧିନାୟକ ରିକି ପଂଟିଂ ୨୯ଟି ଟେଷ୍ଟର ୫୧ଟି ଇନିଂସରୁ ୮ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ୨୫୫୫ ରନ୍ କରିଛନ୍ତି । ଭିଭିଏସ୍ ଲକ୍ଷ୍ମଣ ୨୯ଟି ଟେଷ୍ଟର ୫୪ଟି ଇନିଂସରୁ ୬ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୨୪୩୪ ରନ୍ କରିଛନ୍ତି । ରାହୁଲ ଦ୍ରାବିଡ଼ ୩୨ଟି ଟେଷ୍ଟରୁ ୨ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୨୧୪୩ ରନ୍ କରିଛନ୍ତି ।
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ୨୨ଟି ଇନିଂସରୁ ୭ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୨୦୪୯ ରନ୍ କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିରେ ସଫଳ ବୋଲର ତାଲିକାର ପ୍ରଥମ ୫ଟି ସ୍ଥାନରେ ସ୍ପିନର ହିଁ ରହିଛନ୍ତି । ପ୍ରଥମ ୨ଟି ସ୍ଥାନରେ ଥିବା ଭାରତୀୟ ଅନୀଲ କୁମ୍ବଲେ ଓ ହରଭଜନ ସିଂହ ମିଳିତ ଭାବେ ୨ ଶହରୁ ଅଧିକ ୱିକେଟ ନେଇଛନ୍ତି । କୁମ୍ବଲେ ୨୦ଟି ମ୍ୟାଚ୍ରୁ ସର୍ବାଧିକ ୧୧୧ଟି ୱିକେଟ ନେଇଛନ୍ତି । ସେ ୧୦ ଥର ଏକ ଇନିଂସରେ ୫ଟି ୱିକେଟ ନେଇଥିବା ବେଳେ ୨ ଥର ଏକ ମ୍ୟାଚ୍ରେ ୧୦ଟି ୱିକେଟ ନେଇଛନ୍ତି । ହରଭଜନ ୧୮ଟି ମ୍ୟାଚ୍ରୁ ୯୫ଟି ୱିକେଟ ନେଇଛନ୍ତି । ସେ ୭ ଥର ଏକ ଇନିଂସରେ ୫ଟି ଏବଂ ୩ ଥର ଏକ ମ୍ୟାଚ୍ରେ ୧୦ଟି ୱିକେଟ ନେଇଛନ୍ତି । ୩ୟ ସ୍ଥାନରେ ଥିବା ଅଷ୍ଟ୍ରେଲୀୟ ଅଫ୍ସ୍ପିନର ନାଥାନ୍ ଲାୟନ୍ ୨୨ଟି ମ୍ୟାଚ୍ରୁ ୯୪ଟି ୱିକେଟ ନେଇଛନ୍ତି । ସେ ୭ ଥର ଏକ ଇନିଂସରେ ୫ଟି ଏବଂ ଥରେ ମ୍ୟାଚ୍ରେ ୧୦ଟି ୱିକେଟ ନେଇଛନ୍ତି । ୪ର୍ଥ ସ୍ଥାନରେ ଭାରତୀୟ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି । ଅଶ୍ୱିନ ୧୮ଟି ମ୍ୟାଚ୍ରୁ ୮୯ଟି ୱିକେଟ ନେଇଛନ୍ତି । ସେ ୫ ଥର ଏକ ଇନିଂସରେ ୫ଟି ଏବଂ ଥରେ ମ୍ୟାଚ୍ରେ ୧୦ଟି ୱିକେଟ ନେଇଛନ୍ତି । ୫ମ ସ୍ଥାନରେ ଥିବା ରବୀନ୍ଦ୍ର ଜାଡ଼େଜା ୧୨ଟି ମ୍ୟାଚ୍ରୁ ୬୩ଟି ୱିକେଟ ନେଇଛନ୍ତି । ସେ ୩ ଥର ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି । ପେସ୍ ବୋଲର ଭାବେ ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ ନେଇଛନ୍ତି ଭାରତର ଜାହିର ଖାଁ । ୧୯ ମ୍ୟାଚ୍ରୁ ଜାହିର ୬୧ଟି, ଈଶାନ୍ତ ଶର୍ମା ୨୫ ମ୍ୟାଚ୍ରୁ ୫୯ଟି, ବ୍ରେଟ୍ ଲି ୧୨ ମ୍ୟାଚ୍ ରୁ ୫୩ଟି, ଗ୍ଲେନ୍ ମ୍ୟାକ୍ଗ୍ରା ୧୧ ମ୍ୟାଚ୍ରୁ ୫୧ ଓ ଜୋସ୍ ହାଜେଲଉଡ୍ ୧୫ ମ୍ୟାଚ୍ରୁ ୫୧ଟି ୱିକେଟ ନେଇଛନ୍ତି ।
