ନାଗପୁର ପିଚ୍କୁ ନେଇ ଅସନ୍ତୁଷ୍ଟ ରାହୁଲ ଦ୍ରାବିଡ଼, କ୍ୟୁରେଟରଙ୍କ ସହ ହେଲା ଯୁକ୍ତିତର୍କ
ନୂଆଦିଲ୍ଲୀ: ଭାରତୀୟ ଟିମର ମ୍ୟାନେଜମେଂଟ ନାଗପୁର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ନୂଆ ପିଚ୍ ଦାବି କରିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏହି ପଡିଆରେ ଫେବ୍ରୁଆରୀ ୯ରେ ଖେଳାଯିବ । ପିଚ୍ କ୍ୟୁରେଟର ଅଭିଜିତ ପିପରୋଡଙ୍କ ସହ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ବଡ଼ ଯୁକ୍ତି ହୋଇଥିବା ନେଇ ଖବର ସାମନାକୁ ଆସୁଛି ।
ଭାରତୀୟ କ୍ରିକେଟ୍ ଟିମ୍ ଗତ କିଛି ଦିନ ଧରି ନାଗପୁରରେ ଅଭ୍ୟାସ କରୁଛି, ଏବେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ପିଚ୍ରେ ପରିବର୍ତନ ପାଇଁ ଦାବି କରିଛନ୍ତି । ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ହିଁ ପିଚ୍କୁ ନେଇ ଅନେକ ବିବାଦ ଆରମ୍ଭ ହୋଇ ସାରିଛି । ରିପୋର୍ଟ ଅନୁସାରେ ରାହୁଲ ଦ୍ରାବିଡ ନାଗପୁର ପିଚ୍କୁ ନେଇ ଖୁସି ନାହାନ୍ତି । ବିସିଏ ଷ୍ଟାଡିୟମ ଅଥରିଟି ଏବଂ ପିଚ୍ କ୍ୟୁରେଟର ଏବେ ପିଚ୍ ତିଆରିର ଶେଷ ପର୍ଯ୍ୟାୟରେ ପହଂଚିଛନ୍ତି । ନାଗପୁରରେ ଏକ ସ୍ପିନିଂ ଟ୍ରାକ୍ ପାଇଁ ରାହୁଲ ଦାବି କରୁଛନ୍ତି । ଭାରତ ପାଇଁ ଏହି ଟେଷ୍ଟ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ଯଦି ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲ କରିବାକୁ ଚାହୁଁଛି, ତେବେ ଏହି ସିରିଜ ଜିତିବା ଜରୁରୀ ଅଟେ । ଅନ୍ୟପଟେ ଏହି ଟେଷ୍ଟ ସିରିଜ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋହିତ ତିନି ଫର୍ମାଟର ଅଧିନାୟକ ହେବା ପରେ ଏହା ତାଙ୍କ ପାଇଁ ସବୁଠୁ ବଡ଼ ସିରିଜ୍ ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ନାଗପୁରରେ ହେବ । ନାଗପୁର ପିଚକୁ ନେଇ ଅଷ୍ଟ୍ରେଲିଆ ଟିମ୍ ଅସନ୍ତୋଷ ପ୍ରକାଶ କରିଛି । ଅଷ୍ଟ୍ରେଲିଆ କହିଛି ଯେ ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ରଣନୀତି ହିସାବରେ ସ୍ପିନିଂ ୱିକେଟ ପ୍ରସ୍ତୁତ କରିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଟିମ୍ ପିଚକୁ ଦେଖି ଅସନ୍ତୋଷ ପ୍ରକାଶ କରିଛି । ନାଗପୁର ପିଚ ଦେଖି ଜେସନ ଗିଲେପ୍ସି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଭାରତ କ୍ୟୁରେଟର ସ୍ପିନକୁ ସୁହାଇଲା ଭଳି ପିଚ ପ୍ରସ୍ତୁତ କରୁଛି । ସେ ଆହୁରି କହିଛନ୍ତି, ଭାରତର କ୍ୟୁରେଟର ଟିମ୍ ଇଣ୍ଡିଆକୁ ଟେଷ୍ଟ ମ୍ୟାଚରେ କିପରି ଫାଇଦା ଦେବ, ଏହାକୁ ଦେଖି ପିଚ୍ ପ୍ରସ୍ତୁତ କରୁଛନ୍ତି ।ଅନ୍ୟପଟେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସାଇମନ ଓଡନେଲ ଏହି ମାମଲାରେ ଆଇସିସିକୁ ହସ୍ତକ୍ଷେପ କରିବାକୁ କହିଛନ୍ତି । ଓଡନେଲ ଏସଇଏନ ବ୍ରେକଫାଷ୍ଟ ସୋ’ ବେଳେ କହିଛନ୍ତି, ଆଇସିସିକୁ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ ଖୁବ ଶୀଘ୍ର କରାଯଉ । ଯଦି ବାସ୍ତବରେ ଦେଖାଯିବ ତେବେ ଏଠାରେ ଟେଷ୍ଟ କ୍ରିକେଟର ସାମାନ୍ୟ ମାନକ ଓ ଏହି ପଡ଼ିଆର ବିଶେଷତ ଅନୁସାରେ ଖେଳାଯାଇ ପାରିବ ନାହିଁ । ତେଣୁ ଏହାଉପରେ ଆଇସିସି କିଛି କରିବାର ଆବଶ୍ୟକ ଅଛି । ପିଚ୍କୁ ନେଇ ରୋହିତ ଶର୍ମା କହିଛନ୍ତି ପିଚ ଉପରେ ହେଉଥିବା ବିବାଦ ପ୍ରତି ଆମେ ଧ୍ୟାନ ଦେଉନାହୁଁ । ଆମେ ଭଲ କ୍ରିକେଟ୍ ଖେଳିବାକୁ ଚାହୁଁଛୁ ।
