ସଂଗୀତ ସାଧକ ବଙ୍କିମ ନାୟକ ସମ୍ବର୍ଦ୍ଧିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମର ସଂଗୀତ ସାଧକ ବଙ୍କିମ ନାୟକ ରାଇରଙ୍ଗପୁରର ଅଗ୍ରଣି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ଜଣାଯାଇଛି । ‘ପରିକ୍ରମା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଓ ବର୍ଷାନ୍ତ ଆଲୋଚନା ଚକ୍ର ଅବସରରେ ରାଇରଙ୍ଗପୁର ପିସିଏମ କଲ୍ୟାଣମଣ୍ଡପ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ସଂଗୀତ ସାଧକ ଶ୍ରୀ ନାୟକଙ୍କୁ ଭୁବନେଶ୍ୱର ଓଡ଼ିଆ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ପୌରପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ, ମୟୁରଭଂଜ ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖ ଅତିଥିମାନଙ୍କ ସହିତ ସଂଗଠନର ଆବାହକ ମନୋଜ ଦାସ, ସଂଯୋଜକ ରଂଜନ କୁମାର ନନ୍ଦ, ଉପଦେଷ୍ଟା ଶରତ ଦାସ, ପ୍ରକାଶ ପାତ୍ର, ଇଶାନ ମିଶ୍ର, ଗୁରୁ ନିତ୍ୟାନନ୍ଦ, ସୁବାସ ମଣ୍ଡଳ ଓ ରାହୁଲ ଯାଦବ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ସଂଗୀତ ସାଧକ ଶ୍ରୀନାୟକ ଦୀର୍ଘଦିନ ହେବ ସଂଗୀତ ସାଧନାରେ ରହି ସଂଗୀତକୁ ଉଜ୍ଜୀବିତ କରି ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେ ସ୍ଥାନୀୟ ଅଞ୍ଚଳରେ ସଂଗୀତ ସାଧକ ଭାବେ ବେଶ୍ ପରିଚିତି ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ହୋଇଛନ୍ତି ।
