ସଦର ଥାନା ପୋଲିସର ଚଢଉ; ବନ୍ଧୁକ, ଗୁଳି ଓ ବାଇକ୍ ସହିତ ୪ ଅପରାଧୀ ଗିରଫ
କଟକ : କଟକ ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ନିଛାଟିଆର ସୁଯୋଗ ନେଇ ଜନସାଧାରଣଙ୍କଠାରୁ ଲୁଟୁଥିବା ୩ ଦୁର୍ଦ୍ଦାନ୍ତ ଅପରଧୀଙ୍କୁ ଗିରଫ କରିବାରେ ସଦର ଥାନା ପୋଲିସ ସଫଳ ହୋଇଛି । ଗିରଫ ଅପରାଧୀମାନେ ହେଲେ କନ୍ଦରପୁର ଥାନା ଅନ୍ତର୍ଗତ ରାଜହଂସ ସାମଲ ସାହିର ସନ୍ତୋଷ ସାମଲ(୨୭), ଜଗତସିଂହପୁର ଜିଲ୍ଲା ସିଢାଳ ଗ୍ରାମର ସୁଶାନ୍ତ କୁମାର ସାମଲ(୨୪), ଜଗତପୁର ଥାନା ଅନ୍ତର୍ଗତ ନ୍ୟୁ ଇଣ୍ଡଷ୍ଟ୍ରିଜ୍ ପେପ୍ସୀ କମ୍ପାନୀ ନିକଟରେ ରହୁଥିବା ବିଶ୍ୱରଂଜନ ପରିଜା(୩୫) ଓ ନିଆଳି ଥାନା ଅନ୍ତର୍ଗତ ସୁଆଁଳୋ ଗ୍ରାମର ସନ୍ତୋଷ ପାତ୍ର(୩୮) । ପୋଲିସ ଦୁଇଟି ପୃଥକ ମାମଲା କରି ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ଦୁଇଟି ବାଇକ୍, ଗୋଟିଏ ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି ସହ ନଗଦ ଅଢେଇ ହଜାର ଟଙ୍କା ଜବତ କରିଛି । ଡିସିପି ପିନାକ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ସଦର ଥାନା ଏସଆଇ ବି ବେହେରା ଥାନାର ଅନ୍ୟ କର୍ମଚାରୀଙ୍କ ସହିତ ପାଟ୍ରୋଲିଂ କରୁଥିବା ସମୟରେ ଜାତୀୟ ରାଜପଥର ଉରାଳି ଗଡା ନିକଟରେ ଦୁଇ ଜଣ ଯୁବକ ଏକ ବଜାଜ ପଲସର ବାଇକ ଧରି କୈାଣସି ଏକ ସ୍ଥାନରେ ଡକାୟତି କରିବାକୁ ଯୋଜନା କରୁଥିବାର ସୂଚନା ପାଇଥିଲେ । ଶ୍ରୀ ବେହେରା ସଦଳବଳେ ସେଠାରେ ଚଢଉ କରି ସନ୍ତୋଷ ଓ ସୁଶାନ୍ତକୁ ଗିରଫ କରି ଏକ ୟୁଏସଏ ୭.୬୫ଏମଏମ ବନ୍ଧୁକ ସହିତ ଚାରୋଟି ଗୁଳି ଓ ବାଇକ୍ ଜବତ କରିଥିଲେ । ଥାନା କେସ ନଂ ୩୮/୨୩ରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସନ୍ତୋଷ ସାମଲ ବିରୋଧରେ ଦରଘାବଜାର, ବାଦାମବାଡି, ପୁରୀଘାଟ, କନ୍ଦରପୁର, ଟାଙ୍ଗି ଆଦି ଥାନାରେ ୧୦ଟି ମାମଲା ରହିଥିବାର ଜଣାପଡିଛି । ସେହିପରି ଗତ ୧୮ ତାରିଖରେ ରାତି ୧୧ଟା ବେଳେ ଜଗତପୁର ଫକୀରପଡାର ପ୍ରିୟରଂଜନ ମଲ୍ଲଙ୍କ ପର୍ସ ଲୁଟ୍ ଘଟଣାର ତଦନ୍ତ କରି ସଦର ଥାନା ପୋଲିସ ବିଶ୍ୱରଂଜନ ଓ ସନ୍ତୋଷ ପାତ୍ରଙ୍କୁ ଗିରଫ କରି ସେମାନଙ୍କଠାରୁ ୨ ହଜାର ୫୦୦ ଟଙ୍କା, ଏକ ଆଧାରକାର୍ଡ ଓ ଏକ ହୁଣ୍ଡା ସ୍ଲେଣ୍ଡର ଜବତ କରିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ କଟକ ସଦର, ମଧୁପାଟଣା, ବିରିଡି, ଜଗତସିଂହପୁର, ଓଲଟପୁର, ନିଆଳି ଆଦି ଥାନାରେ ୨୧ଟି ମାମଲା ରହିଥିବା ଜଣାଯାଇଛି ।
