ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲଟିବ ତାଳଦଣ୍ଡା ଏକାଧିକ ପ୍ରକଳ୍ପ ବୁଲି ଦେଖିଲେ ପର୍ଯ୍ୟଟନ ନିର୍ଦ୍ଦେଶକ, ସିଏମସି କମିଶନର
କଟକ : ବିଶ୍ୱସ୍ତରୀୟ ପ୍ରକଳ୍ପ ସମେତ ବିଭିନ୍ନ ଉନ୍ନତିମୂଳକ ନିର୍ମାଣ କାର୍ଯ୍ୟ କଟକ ସହର ସୁନାମ ବର୍ଦ୍ଧନ କରିବା ନିଶ୍ଚିତ ହୋଇଯାଇଥିଲା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ଏହି ସହର ଅଧିକ ଜନାକର୍ଷଣ କରିବାର ପ୍ରୟାସ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ କଟକରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଶ୍ରୀ ଯାଦବ ଆଜି ପୂର୍ବାହ୍ନରେ କଟକରେ ପହଂଚି ପ୍ରକଳ୍ପଗୁଡିକର ପରିଦର୍ଶନ କରିବା ସହିତ ଚାଲିଥିବା କାର୍ଯ୍ୟର ମାନ ପରିକ୍ଷା କରି ଠିକ୍ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିଦର୍ଶନ ବେଳେ ତାଙ୍କ ସହିତ କଟକ ମହାନଗର ନିଗମ(ସିଏମସି) କମିଶନର ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ । କେବଳ ସହରବାସୀ ନୁହଁନ୍ତି ଆଗାମୀ ଦିନରେ ବାହାର ପର୍ଯ୍ୟଟକଙ୍କୁ ମଧ୍ୟ କଟକ ଆକର୍ଷିତ କରିବ ବୋଲି ଶ୍ରୀ କଲ୍ୟାଣ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପ୍ରକାଶ ଥାଉକି, ଆସନ୍ତା ଫେବୃଆରୀ ସୁଦ୍ଧା ୯ କୋଟି ଟଙ୍କା ବ୍ୟୟରେ ଚାଲିଥିବା ସିଲଭର ସିଟି ବୋଟ୍ କ୍ଲବକୁ କାର୍ଯ୍ୟକ୍ଷମ କରାଯିବା ସହ ୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା ନିକଟରେ ଆମ୍ୟୁଜ୍ମେଣ୍ଟ ପ୍ଲେସ୍ର ନିର୍ମାଣ କାର୍ଯ୍ୟ ଏକ ମାସ ମଧ୍ୟରେ ଶେଷ କରାଯିବ । ସେହିପରି ଗଡଖାଇ ନିକଟରେ ଥିବା ସଂଗ୍ରହାଳୟ ଓ ତା’ର ପରିସରର ଉନ୍ନତିକରଣ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବାରୁ ଶ୍ରୀ ଯାଦବ ସନ୍ତୋଷ ପ୍ରକାଶ କରିଥିଲେ । ତାଳଦଣ୍ଡା ନିକଟସ୍ଥ ପର୍ଯ୍ୟଟନ ସ୍ଥଳରେ ରହିବ ବିଭିନ୍ନ ମନୋରମ ଦୃଶ୍ୟ । ଦେଶ ବିଦେଶର ଫୁଲ ଗଛ, ବିଶ୍ରାମସ୍ଥଳ, ଫୁଡ୍କୋର୍ଟ, ରଙ୍ଗବିରଙ୍ଗ ଆଲୋକ ବ୍ୟବସ୍ଥା, କିଓସ୍କୋ, ନୈାକା ବିହାର ପାଇଁଁ ଜେଟି ଏପରିକି ଜିମ୍ର ମଧ୍ୟ ବ୍ୟବସ୍ଥା କରାଯିବ । ସେହିପରି ଓଡିଶା ଟୁରିଜିମ୍ ଡେଭଲପ୍ମେଣ୍ଟ(ଓଟିଡିସି) ଅଧୀନରେ ଥିବା ସିଲଭର ସିଟି ବୋଟ୍ କ୍ଲବର ପୁନଃ ନବୀକରଣ କାର୍ଯ୍ୟ ତ୍ୱରିତ୍ ବେଗରେ ଜାରି ରହିଥିଲା ବେଳେ ନଦୀ ଭିତରକୁ ଗ୍ଲାସ୍ ବେସ୍ ପ୍ଲାଟଫର୍ମ, ସିଡିସିଏମ କ୍ରଂକ୍ରିଟ୍, ଲ୍ୟାଣ୍ଡ ସ୍କେପିଙ୍ଗ୍ କାର୍ଯ୍ୟ ଶେଷ କରାଯିବ । ଏତଦ୍ ବ୍ୟତୀତ ଗଡଖାଇ ସଂଗ୍ରହାଳୟ ପ୍ରକଳ୍ପ ପାଇଁ ଓପନ ଏୟାର ଥିଏଟର ସହ ପାର୍କ ଓ ଲ୍ୟାଣ୍ଡ ସ୍କେପିଙ୍ଗ୍ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ନିର୍ଦ୍ଦେଶକ ଶ୍ରୀ ଯାଦବଙ୍କୁ ଅବଗତ କରାଇଥିଲେ ।
