ଇତିହାସ ରଚିଲେ କିଙ୍ଗ କୋହଲି, ସଚିନ ଓ ପଣ୍ଟିଂଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍
କଲମ୍ବୋ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲାରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କାଲିର ବାକି ଥିବା ମ୍ୟାଚ୍ ଖେଳାଯାଇଛି। ଆଜି ଭାରତ ୨୪.୧ ଓଭରରୁ ବ୍ୟାଟିଂ କରି ଆରମ୍ଭ କରି ପାକିସ୍ତାନ ଆଗରେ ୩୫୬ ରନ୍ ବିଶାଳ ସ୍କୋର ଛିଡ଼ା କରିଛି। ଏହି ମ୍ୟାଚ୍ରେ ଶତକ ହାସଲ୍ କରିବା ସହ ଇତିହାସ ରଚିଛନ୍ତି ରନ୍ ମେସିନ ବିରାଟ କୋହଲି।
ଦିନିକିଆ କ୍ୟାରିୟରରେ ବିରାଟ ୪୭ ତମ ଶତକ ହାସଲ୍ କରିଥିବା ବେଳେ ୧୩ ହଜାର ରନ୍ ପୂରା କରି ଇତିହାସ ରଚିଛନ୍ତି। ସବୁଠାରୁ ଦ୍ରୁତ ଗତିରେ ୧୩ ହଜାରନ ରନ୍ ପୂରା କରିଥିବା ବିରାଟ କୋହଲି ପ୍ରଥମ ବ୍ୟାଟର ହୋଇଛନ୍ତି। ଏପରି କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି ବିରାଟ।

ବିରାଟ କୋହଲି ମାତ୍ର ୨୬୭ଟି ମ୍ୟାଚ୍ ଖେଳି ୧୩ ହଜାର ରନ୍ ପୂରା କରିଛନ୍ତି। ସୂଚନା ଥାଉକି, ବର୍ଷା ଯୋଗୁ ଗତକାଲିର ଭାରତ ଓ ପାକିସ୍ତାନ ମ୍ୟାଚ୍ ୨୪.୧ ଓଭରରୁ ଅଟକି ଯାଇଥିଲା। ନିୟମ ଅନୁସାରେ, ଆଜି ପୁଣିଥରେ ମ୍ୟାଚ୍ ସେହିଠାରୁ ଆରମ୍ଭ ହୋଇଥିଲା। ବିରାଟ କୋହଲି ୯୪ ବଲରେ ୧୨୨ ରନ କରିଥିବା ବେଳେ ୯ ଚୌକା ଓ ତିନୋଟି ଛକା ମାରିଛନ୍ତି। ସେହିପରି କେଏଲ ରାହୁଲ ୧୧୧ ରନ୍ ସଂଗ୍ରହ କରିଥିବା ବେଳେ ଦୁଇ ବ୍ୟାଟର ଅପରାଜିତ ରହିଥିଲେ। ପାକିସ୍ତାନ ପାଇଁ ଶାଦାବ ଏବଂ ଶାହୀନ୍ ଶାହ ଆଫ୍ରିଦି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ୪୦ ମିନିଟର ବିରତି ପରେ ମ୍ୟାଚ୍ ପୁଣି ଆରମ୍ଭ ହେବ।
13000 ODI runs and counting for 👑 Kohli
— BCCI (@BCCI) September 11, 2023
He also brings up his 47th ODI CENTURY 👏👏#TeamIndia pic.twitter.com/ePKxTWUTzn
ଗତକାଲି ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ ବ୍ୟାଟିଂ କରିବାକୁ ଆସିଥିଲେ। ବର୍ଷା ହେବା ପର୍ଯ୍ୟନ୍ତ ଦୁଇ ବ୍ୟାଟର ଭଲ ବ୍ୟାଟିଂ କରି ଟିମ୍ ସ୍କୋର୍କୁ ଆଗକୁ ନେଇଥିଲେ। ଦୁଇ ଓପନିଂ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍ରେ କ୍ୟାପ୍ଟେନ୍ ରୋହିତ ଶର୍ମା ୪୯ ବଲ୍ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଥିଲେ। ଏଥିରେ ୪ ଛକା ଓ ୬ ଚୌକା ରହିଥିଲା। ରୋହିତ ୪୨ ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୫୨ ବଲ୍ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ପାକିସ୍ତାନ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
