ଏସିଆ କପ୍ ୨୦୨୩ : କୋହଲି ଓ ରାହୁଲଙ୍କ ଶତକ ପରେ କୁଲଦୀପଙ୍କ ଘାତକ ବୋଲିଂ, ୨୨୮ ରନରେ ହାରିଲା ପାକିସ୍ତାନ
ପାକିସ୍ତାନ ବିପକ୍ଷରେ ଭାରତର ସବୁଠୁ ବିଶାଳ ବିଜୟ
କଲୋମ୍ବୋ : ଏସିଆ କପର ସୁପର ୪ ମ୍ୟାଚ୍ ରେ ଭାରତର ଦମଦାର ବିଜୟ। ୨୨୮ ରନ୍ ରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ପାକିସ୍ତାନ ୩୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ୍ କରିବାକୁ ସମର୍ଥ ହୋଇଛି । ପାକିସ୍ତାନ ୧୧ ଓଭର ଖେଳିବା ପରେ ବର୍ଷା ପାଇଁ ମ୍ୟାଚ ଅଧାରୁ ଅଟକିଥିଲା । ୩୫୭ ରନର ବିଶାଳ ଟାର୍ଗେଟ ପିଛା କରି ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟ ସାମ୍ନା କରିଥିଲା । ଏହାପରେ ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇଥିଲା। କୁଲଦୀପ ଯାଦବ ସର୍ବାଧିକ ୫ ୱିକେଟ ହାସଲ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।
ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଦମଦାର ଶତକ ପରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ। ଏଥିସହ ପାକିସ୍ତାନ ବିପକ୍ଷରେ ଭାରତ ଦିନିକିଆ କ୍ରିକେଟରେ ସବୁଠୁ ବଡ଼ ବିଜୟ ହାସଲ କରିଛି। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୨୨୯ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହି ଦମଦାର ବିଜୟ ସହ ଭାରତ ଏସିଆ କପ୍ ୨୦୨୩ ସୁପର-୪ର ଶୀର୍ଷରେ ପହଞ୍ଚିଛି। କୁଲଦୀପ ଯାଦବ ୨୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇ ପାକିସ୍ତାନ ଇନିଂସକୁ ୧୨୮ ରନରେ ସୀମିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୨୨ ରନ ଓ କେଏଲ ରାହୁଲଙ୍କ ୧୧୧ ରନ ବଳରେ ୫୦ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୩୨ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଫଖର ଜମାନ ସର୍ବାଧିକ ୨୭ ରନ କରିଥିବା ବେଳେ ଆଘା ସଲମାନ ଓ ଇଫତିକାର ଅହମ୍ମଦ ପ୍ରତ୍ୟେକ ୨୩ ରନ କରିଛନ୍ତି।

୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ଭାରତ ଆରମ୍ଭରୁ ଝଟକା ଦେଇଥିଲା। ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ମାପଚୁପ ବୋଲିଂ କରି ଆରମ୍ଭରୁ ପାକିସ୍ତାନକୁ ଚାପରେ ପକାଇଥିଲେ। ଇମାମ ଉଲ ହକ୍(୯)ଙ୍କୁ ବୁମରା ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଅଧିନାୟକ ବାବର ଆଜମ(୧୦)ଙ୍କୁ କ୍ଲିନ ବୋଲ୍ଡ କରି ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନକୁ ବହୁତ ବଡ଼ ଝଟକା ଦେଇଥିଲେ। ଏହା ପରେ ପାକିସ୍ତାନ ଆଉ ବିପର୍ଯ୍ୟୟରୁ ମୁକୁଳି ପାରି ନ ଥିଲା। କୁଲଦୀପ ଯାଦବ ପାକିସ୍ତାନର ମଧ୍ୟକ୍ରମ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଥିଲେ। ଫଖର ଜମାନ ସର୍ବାଧିକ ୨୭ ରନ କରିଥିବା ବେଳେ ଆଘା ସଲମାନ ଓ ଇଫତିକାର ଅହମ୍ମଦ ପ୍ରତ୍ୟେକ ୨୩ ରନ କରିଛନ୍ତି। ଏହି ତିନି ବ୍ୟାଟରଙ୍କୁ କୁଲଦୀପ ଯାଦବ ନିଜ ଜାଲରେ ଫସାଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ପାକିସ୍ତାନ ୩୨ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଛି।
ଗତକାଲିର ଅସମାପ୍ତ ଖେଳ ୨୪.୧ ଓଭର ୧୪୭/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି କ୍ରିଜରେ ଅପରାଜିତ ଥିଲେ। ଆଜି ଆରମ୍ଭରୁ କିଛି ସମୟ ଦେଖିଚାହିଁ ବ୍ୟାଟିଂ କରିଥିଲେ ଦୁଇ ବ୍ୟାଟର। କ୍ରିଜରେ ଜମିବା ପରେ ହାତ ଖୋଲିବା ଆରମ୍ଭ କରିଥିଲେ ଲୋକେଶ ରାହୁଲ ଓ କୋହଲି। ଏହି କ୍ରମରେ ପ୍ରଥମେ ଲୋକେଶ ରାହୁଲ ଏବଂ ପରେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ମ୍ୟାଚ୍ରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ଦିନିକିଆ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଛନ୍ତି। ତାଙ୍କ ପରେ ପରେ ବିରାଟ କୋହଲି ନିଜର ଫର୍ମ ବଜାୟ ରଖି ଦିନିକିଆ ଅନ୍ତର୍ଜାତୀୟରେ ୮୪ ବଲ୍ରୁ ୪୭ତମ ଶତକ ପୂରଣ କରିଛନ୍ତି। ଏହିପରି ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ରେ ୧୯୪ ବଲ୍ରୁ ୨୩୩ ରନର ଦ୍ଵିଶତକୀୟ ଭାଗିଦାରୀ ଯୋଡ଼ିଛନ୍ତି। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ କରିଛି। ବିରାଟ କୋହଲି ୯୪ ବଲ୍ରୁ ୯ ଚୌକା ଓ ୩ ଛକା ସହ ୧୨୨ ରନ ଏବଂ ରାହୁଲ ୧୦୬ ବଲ୍ରୁ ୧୨ ଚୌକା ଓ ୨ ଛକା ଜରିଆରେ ୧୧୧ ରନର ଦର୍ଶନୀୟ ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି।
ମୁକାବିଲାରେ ଟସ୍ ଜିତି ବାବର ଆଜମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ଚାପରେ ରଖିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂରେ ଶତକୀୟ ଭାଗିଦାରୀ କରି ଭାରତର ସ୍ଥିତି ମଜବୁତ କରିଥିଲେ। ଦୁଇ ଓପନିଂ ବ୍ୟାଟର ଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍ରେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୪୯ ବଲ୍ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଓ ୬ ଚୌକା ସାମିଲ୍। ରୋହିତ ୪୨ ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୫୨ ବଲ୍ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ପାକିସ୍ତାନ ସମସ୍ତ ବୋଲର ମହଙ୍ଗା ସବ୍ୟସ୍ତ ହୋଇଛନ୍ତି।
