କରୋନାରୁ ସୁସ୍ଥ ପରେ ପ୍ରାକ୍ଟିସ୍ କରୁଛନ୍ତି ରୋହିତ
ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ରୋହିତଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ରୋହିତ ଇଂଲଣ୍ଡ ବିପକ୍ଷ ଏଜବେଷ୍ଟନ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଏହି କାରଣରୁ ଟେଷ୍ଟ୍ ମ୍ୟାଚରେ ସେ ସାମିଲ ହୋଇପାରିନଥିଲେ । କିନ୍ତୁ ଏବେ ସେ ପୁଣି ପଡିଆକୁ ଫେରିଛନ୍ତି । ଆଶା କରାଯାଉଥିଲା ଯେ, ରୋହିତ ସୁସ୍ଥ ହୋଇଯିବେ । କାରଣ ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଆରମ୍ଭ ହେବ । ସେ ଦଳର ନେତୃତ୍ୱ ନେବେ । ଏବେ ସୋସିଆଲ ମିଡିଆରେ କିଛି ଫଟେ ସାମ୍ନାକୁ ଆସିଛି । ଯେଉଁଥିରେ ରୋହିତ ପ୍ରାକ୍ଟିସ୍ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ରୋହିତ ସବୁ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି । ନିକଟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ଖେଳିନଥିଲେ । ଏହି ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଶେଷରେ କୋଭିଡ୍ରୁ ମୁକୁଳିଛନ୍ତି । କୋଭିଡ୍ ପଜିଟିଭ୍ ଯୋଗୁଁ ଏକାନ୍ତବାସରେ ରହିଥିବା ରୋହିତଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ବାହାରକୁ ଆସିଛନ୍ତି । ରୋହିତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ସେ ମେଡିକାଲ ପ୍ରୋଟୋକଲ ଅନୁଯାୟୀ ସଂଗରୋଧରୁ ବାହାରି ଯାଇଛନ୍ତି । ସେ ନର୍ଥମ୍ପଟନ୍ ବିପକ୍ଷ ଅଭ୍ୟାସ ଟିି-୨୦ ମ୍ୟାଚ୍ ଖେଳିନାହାନ୍ତି । ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ଲାଗିବ । ହେଲେ ଟେଷ୍ଟ୍ରୁ ବଂଚିତ ହୋଇଥିବା ରୋହିତ ଆସନ୍ତା ୭ ତାରିଖରେ ସାଉଥମ୍ପଟନ୍ରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି । ମେଡିକାଲ ପ୍ରୋଟୋକଲ୍ ଅନୁଯାୟୀ କୌଣସି ଖେଳାଳି ସଂଗରୋଧରୁ ବାହାରିବା ପରେ ତାଙ୍କ ଫୁସ୍ଫୁସ୍ର ସାମର୍ଥ ଯାଂଚ୍ ପାଇଁ କାର୍ଡିଓଭସ୍କୁଲାର ପରୀକ୍ଷା ବାଧ୍ୟତାମୂଳକ ରହିଛି । କୋଭିଡ୍ ପରବର୍ତୀ ସମୟରେ ତାଙ୍କ ଫୁସ୍ଫୁସ୍ କିପରି କାର୍ଯ୍ୟ କରୁଛି ତାହା ମଧ୍ୟ ଯାଂଚ କରାଯାଏ । ଏହି ଦୃଷ୍ଟିରୁ ରୋହିତଙ୍କୁ ଆଉ କିଛି ଦିନ ବିଶ୍ରାମ ଆବଶ୍ୟକ ରହିଥିବା ବିସିସିଆଇ କହିଛି ।
