ଏଜବାଷ୍ଟନ ଟେଷ୍ଟ : ବିଜୟ ଆଶା ଛଡ଼ାଇ ନେଲା ଇଂଲଣ୍ଡ, ସିରିଜ୍ ଡ୍ର
ବର୍ମିଂହାମ: ୧୫ ବର୍ଷ ପରେ ସିିରିଜ ଜିତିବାର ସ୍ୱପ୍ନ ଧୂଳିସାତ । ପଂଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ୱିକେଟରେ ହାରିଲା ଭାରତ । ପ୍ରଥମ ଇନିଂସରେ ୧୩୨ ରନ ଅଗ୍ରଣୀ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟ ଭୋଗିଛି । ଏଥିସହ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ଭାବେ ଶେଷ ହୋଇଛି । ଭାରତ ଦ୍ୱାରା ଧାର୍ଯ୍ୟ ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଜୋ ରୁଟ୍ ଏବଂ ଜୋନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ବଳରେ ୩ ୱିକେଟ୍ ହରାଇ ବିଜୟୀ ହୋଇଛି । ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ୱିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ସିରିଜ ପରାଜୟରୁ ବଂଚାଇବା ସହ ସ୍ମରଣୀୟ ବିଜୟ ଦେଇଛନ୍ତି । ଜୋ ରୁଟ୍ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୪୫ ରନରେ ଅଲଆଉଟ୍ ହୋଇଥିଲା । ଉଲ୍ଲେଖନୀୟ ସିରିଜରେ ଭାରତ ୨-୧ରେ ଆଗୁଆ ଥିଲା । କରୋନ କାରଣରୁ ଗତ ବର୍ଷ ଖେଳା ଯାଇଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳା ଯାଇ ପାରିନଥିଲା ।
ଭାରତ ଠାରୁ ବିଜୟ ଆଶା ଛଡ଼ାଇ ନେଇଛି ଇଂଲଣ୍ଡ ଟିମ୍ । ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପଂଚମ ଟେଷ୍ଟକୁ ଆଜି ୭ ୱିକେଟକୁ ଜିତି ନେଇଛି ଇଂଲଣ୍ଡ ଟିମ୍ । ପ୍ରଥମ ପାଳିରେ ଭଲ ଖେଳ ଦେଖାଇଥିଲେ ହେଁ ଦ୍ୱିତୀୟ ପାଳିରେ ନୈରାସ୍ୟଜନକ ଖେଳ ପ୍ରଦର୍ଶନ କରିବା ଭାରତୀୟ କ୍ରିକେଟ ଟିମ୍ ପରାଜୟର କାରଣ ହୋଇଛି । ଅଲ ରାଉଣ୍ଡର ଜନି ବେୟାରଷ୍ଟୋ ଦୁଇଟି ଇନିଂସରେ କ୍ରମାଗତ ଶତକିୟ ପାରି ଖେଳିବା ଓ ଦ୍ୱିତୀୟ ପାଳିରେ ଜୋ ରୁଟ୍ଙ୍କ ଶତକୀୟ ଇନିଂସ୍ ଇଂଲଣ୍ଡ କ୍ରିକେଟ ଟିମ୍କୁ ବିଜୟ ହାସଲରେ ସହଯୋଗ କରିଥିଲା । ଚତୁର୍ଥ ଦିନର ଅସମାପ୍ତ ଖେଳ ୨୫୯/୩ରୁ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା । ଜୋ ରୁଟ୍ ୭୬ ଏବଂ ଜୋନି ବେୟାରଷ୍ଟୋ ୭୨ ରନ କରି ଅପରାଜିତ ଥିଲେ । ପଂଚମ ଦିନ ଖେଳ ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ । ପ୍ରଥମେ ଜୋ ରୁଟ୍ ଶତକ ହାସଲ କରିଥିଲେ । ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ତମ ଟେଷ୍ଟ ଶତକ । ପରେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଥିବା ବେୟାରଷ୍ଟେ ଟେଷ୍ଟ କ୍ୟାରିୟରରେ ୧୨ତମ ଶତକ ହାସଲ କରିଥିଲେ । ରୁଟ୍ ଏବଂ ବେୟାରଷ୍ଟୋ ଅବିଭାଜିତ ଚତୁର୍ଥ ୱିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ୭ ୱିକେଟରେ ଜିତାଇଛନ୍ତି । ରୁଟ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନ କରି ଅପରାଜିତ ଥିଲେ ।
ସୂଚନା ଥାଉକି, ପ୍ରଥମ ଇନିଂସ୍ରେ ଲଢ଼ୁଆ ଖେଳ ଦେଖାଇ ଭାରତୀୟ ଟିମ୍ ୪୧୬ ରନ୍ କରିଥିଲେ । ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ପାରି ଭାରତୀୟ ଟିମ୍କୁ ଏକ ସମ୍ମାନଜନକ ସ୍କୋର କରିବାରେ ସହଯୋଗ କରିଥିଲା । ଦୁହେଁ ଯଥାକ୍ରମେ ୧୪୫ ଓ ୧୦୪ ରନ କରିଥିଲେ । ଏହାର ପିଛା କରି ଇଂଲଣ୍ଡ ମାତ୍ର ୨୮୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଯାହା ଭିତରେ ଜନି ବେୟାରଷ୍ଟୋଙ୍କ ଶତକୀୟ ସ୍କୋର ରହିଥିଲା । ସେ ୧୦୫ ରନ କରିଥିଲେ । ଦ୍ୱିତୀୟ ପାଳିରେ ଭାରତୀୟ ଟିମ୍ ସମସ୍ତ ୱିକେଟ ହରାଇ ମାତ୍ର ୨୪୫ ରନ୍ କରିପାରିଥିଲା । ଯାହାଭିତରେ ପନ୍ତ ଓ ପୂଜାରାଙ୍କ ଅର୍ଧଶତକ ରହିଥିଲା । ଦୁହେଁ ଯଥାକ୍ରମେ ୫୭ ଓ ୬୬ ରନ୍ କରିଥିଲେ । ଦ୍ୱିତୀୟ ପାଳିରେ ୩୭୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଟିମ୍ ଖୁବ୍ ସହଜରେ ଏହାକୁ ହାସଲ କରିନେଇଥିଲା । ଯାହା ଭିତରେ ଜୋ ରୁଟ୍ଙ୍କ ଅପରାଜିତ ୧୪୨ ରନ୍ ଓ ଜୋ ବେୟାରଷ୍ଟୋଙ୍କ ଅପରାଜିତ ୧୧୪ ରନ୍ ପାରି ରହିଥିଲା । ଦୁହିଁଙ୍କ ଭିତରେ ଅପରାଜିତ ୨୬୯ ରନ୍ର ଭାଗିଦାରୀ ହୋଇଥିଲା । ଏହାଛଡ଼ା ଆଲେକ୍ସ ଲିସ୍ଙ୍କ ୫୬ ରନ୍ ଓ ଜାକ୍ କ୍ରାଓଲେ ୪୬ ରନ୍ଙ୍କ ଯୋଗଦାନ ଟିମ୍ର ବିଜୟରେ ଖୁବ୍ ସହଯୋଗ କରିଥିଲା । ଫଳରେ ଖୁବ୍ ସହଜରେ ୩୭୮ ରନ୍ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇଂଲଣ୍ଡ ଦଳ । ଏହା ଇଂଲଣ୍ଡ ଦଳର ସର୍ବୋତମ ସଫଳ ରନ୍ ଚେସ୍ ଥିଲା । ଦ୍ୱିତୀୟ ପାଳିରେ ଭାରତୀୟ ବୋଲିଂ ଇଂଲଣ୍ଡର ଖେଳାଳିଙ୍କ ଆଗରେ ପ୍ରଭାବହୀନ ରହିଥିଲା । ଫଳରେ ଭାରତୀୟ ଦଳର ବିଜୟ ଆଶା ଧୂଳିସାତ୍ ହୋଇଛି । ଦ୍ୱିତୀୟ ପାଳିରେ ଖରାପ ବୋଲିଂ ଭାରତୀୟ ଦଳ ପରାଜୟର ମୁଖ୍ୟ କାରଣ ହୋଇଛି । ଫଳରେ ସିରିଜ୍ ୨-୨ରେ ବରାବର ହୋଇଛି ।
