ଏଜବାଷ୍ଟନ ଟେଷ୍ଟ : ଦ୍ୱିତୀୟ ଇନିଂସରେ ୨୪୫ ରନରେ ଭାରତ ଅଲଆଉଟ୍; ଇଂଲଣ୍ଡକୁ ୩୭୮ ରନ୍ର ବିଜୟ ଲକ୍ଷ୍ୟ
ବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ସୋମବାର ହେଉଛି ଚତୁର୍ଥ ଦିନ । ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଛି । ଦ୍ୱିତୀୟ ଇନିଂସ ଶେଷ ସହ ଇଂଲଣ୍ଡ ଆଗରେ ଭାରତ ୩୭୮ ରନର ଲକ୍ଷ୍ୟ ରଖିଛି । ଭାରତ ନିଜର ପ୍ରଥମ ପାଳିରେ ୪୧୬ ରନ୍ କରିଥିଲା ଏବଂ ଇଂଲଣ୍ଡ ନିଜ ପ୍ରଥମ ଇଂନିସରେ ୨୮୪ ରନ୍ କରିଥିଲା । ପ୍ରଥମ ଇଂନିସ ଶେଷ ସୁଦ୍ଧା ଭାରତୀୟ ଦଳକୁ ୧୩୨ରନର ଲିଡ ମିଳିଥିଲା । ଭାରତ ନିଜର ଦ୍ୱିତୀୟ ପାଳିରେ ୨୪୫ ରନ୍ ସଂଗ୍ରହ କହିଛି । ୧୩୨ ରନ ମିଶାଇଲେ ଭାରତ ୩୭୭ ରନରେ ଆଗୁଆ ରହିଛି । ଏବେ ଇଂଲଣ୍ଡ ସାମ୍ନାରେ ୩୭୮ ରନର ବିଜୟ ଲକ୍ଷ୍ୟ ରହିଛି ।
ଦ୍ୱିତୀୟ ଇନିଂସରେ ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ । ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଂଚମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ଚତୁର୍ଥ ଦିନରେ ୨୪୫ ରନରେ ଅଲଆଉଟ୍ ହୋଇଛି । ଏଥିସହ ପ୍ରଥମ ଇନିଂସର ୧୩୨ ରନ ଅଗ୍ରଣୀ ଭିତିରେ ଇଂଲଣ୍ଡକୁ ୩୭୮ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ତେବେ ଖେଳ ଆହୁରି ଦେଢ ଦିନ ବାକି ଥିବାରୁ ମ୍ୟାଚର ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି । ମ୍ୟାଚ୍ ରୋମାଂଚକର ହେବାର ଆଶା କରାଯାଉଛି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରା ସର୍ବାଧିକ ୬୬ ରନ କରିଥିବା ବେଳେ ଋଷଭ ପନ୍ତ ୫୭ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩୩ ରନ ଦେଇ ୪ଟି ୱିକେଟ୍ ନେଇଛନ୍ତି । ଭାରତର ପ୍ରଥମ ଇନିଂସ ୪୧୬ ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଥିଲା ।
ତୃତୀୟ ଦିନର ଖେଳର ୧୨୫/୩ରୁ ଭାରତ ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ପ୍ରଥମ ସେସନରେ ଭାରତ ୪ଟି ୱିକେଟ୍ ହରାଇଥିଲା । ଗତକାଲି ୫୦ ରନରେ ଅପରାଜିତ ଥିବା ପୂଜାରା ୬୬ ରନ କରି ଆଉଟ୍ ହୋଇଥିଲେ । ପନ୍ତଙ୍କ ସେ ଚତୁର୍ଥ ୱିକେଟ୍ ପାଇଁ ୭୮ ରନ ଯୋଡିଥିଲେ । ଏହା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଶ୍ରେୟସ ଆୟର ୧୯ ରନରେ ଆଉଟ୍ ହୋଇଥିଲେ । ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ପନ୍ତ ଦ୍ୱିତୀୟ ଇନିଂସରେ ବି ୫୭ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା କ୍ରିଜରେ ଜମି ରହିଥିଲେ ହେଁ ଅନ୍ୟପଟୁ ୱିକେଟ୍ ଖସି ଚାଲିଥିଲା । ଶାର୍ଦ୍ଦୁଳ ଠାକୁର(୪), ମହମ୍ମଦ ଶାମି(୧୩) ଆଉଟ୍ ହୋଇଥିଲେ । ଜାଡେଜା ୨୩ ରନ କରି ବେନ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ । ବୁମରା (୭) ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ । ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନରେ ଅଲଅଉଟ୍ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩୩ ରନ ଦେଇ ୪ଟି ସଫଳତା ପାଇଛନ୍ତି । ଷ୍ଟୁଆର୍ଟ ବ୍ରଡ ଏବଂ ମାଟି ପୋଟ୍ସ ଉଭୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଜେମ୍ସ ଆଣ୍ଡରସନ ଏବଂ ଜାକ ଲିଚଙ୍କୁ ଗୋଟିଏ ଗୋଟିଏ ୱିକେଟ୍ ମିଳିଥିଲା ।
