ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହେବାକୁ ସଂକଳ୍ପ ନେବା : ମନ୍ତ୍ରୀ ପ୍ରତାପ ଦେବ
ପୁରୀ : ପ୍ରତ୍ୟେକ ଜାତୀୟ ଦିବସ ଗର୍ବ ଓ ଗୌରବର ପ୍ରତୀକ । ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ପାଇଁ ପ୍ରତ୍ୟେକ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଗତକାଲି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ପୁରୀ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ, ପାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଶ୍ରୀ ଦେବ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷା ଇତ୍ୟାଦି ସମସ୍ତ କ୍ଷେତ୍ରରେ ଆମେ ଅନେକ ସଫଳତା ପାଇଛୁ । ସମଗ୍ର ବିଶ୍ୱରେ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ମିଳିଛି । ବିପର୍ଯ୍ୟୟ ପରିଚାଳନା, କରୋନା ପରିଚାଳନାରେ ରାଜ୍ୟ ରୋଲ ମଡେଲ ସାଜିଛି । ତେବେ ଶିକ୍ଷିତ ହେବା ସହ ମାନସିକତାରେ ପରିବର୍ତନ ଆବଶ୍ୟକ । ନିଜ ମାଟି, ଭାଷା, ସଂସ୍କୃତିକୁ ନେଇ ଗର୍ବ କରିବା । ଆଜି ବିକାଶ ସମସ୍ତଙ୍କ ପାଖରେ ପହଂଚିଛି ।୧୯୩୬ ରେ ଭାଷା ଭିତିରେ ଆମ ରାଜ୍ୟ ଗଠନ ହୋଇଥିଲା ।୨୦୩୬କୁ ୧୦୦ ବର୍ଷ ପୂର୍ତି ହେବ । ତେଣୁ ଏକ ବିକଶିତ ଓ ସମୃଦ୍ଧ ରାଜ୍ୟ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକ, ସ୍ୱଛତା ପାଇଁ ପୁରୀ ପୌରପାଳିକା, ଚିକିତ୍ସା ପାଇଁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ପ୍ରଫେସର ଡା. ସୁଦର୍ଶନ ପୋଥାଳ, ଓଡ଼ିଶା ସଂଗୀତ ନାଟକ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ମନୋରମା ମହାନ୍ତି, ଶରତ କୁମାର ମହାନ୍ତି, ଜୟକୃଷ୍ଣ ନାୟକ ଓ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୋବିନ୍ଦ ଚନ୍ଦ୍ର ପାଳ, କ୍ରିଡାବିତ ଜୟନ୍ତୀ ବେହେରା, ମନୋଜ କୁମାର ପ୍ରଧାନ, ପ୍ରତାପ ପ୍ରଧାନ, ତପନ ମହାନ୍ତି, ଅର୍ଚ୍ଚନା ପ୍ରଧାନ, ଅନନ୍ୟା ପ୍ରଧାନ, କ୍ଷିରୋଦ ବିଶ୍ୱାଳ, ବିଶ୍ୱବିଜୟୀ କଲମ୍ବସ, ମଧୁସ୍ମିତା ସେଠୀ, ବାସୁଦେବ ବାରିକ, ଅମୀନ ରନ୍ଜନ ତ୍ରିପାଠୀ, ରାକେଶ କୁମାର ପାତ୍ର, ପ୍ରସାଦ କୁମାର ସେଠୀ, ରୂପାଲୀ ପ୍ରଧାନ ଓ ଏନଏସଏସ ସ୍ୱେଛାସେବୀ ଭାବେ ଏସସିଏସ କଲେଜର ଓମ ପ୍ରସାଦ ମହାନ୍ତିଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ମନ୍ତ୍ରୀ ଶ୍ରୀ ଦେବ ପୁରସ୍କୃତ କରିଥିଲେ । ସେହିପରି ପ୍ୟାରେଡ଼ରେ ସିନିୟର ଡିଭିଜନ ଏନସିସିରେ ଏସସିଏସ କଲେଜ, ଜୁନିୟର ଏନସିସିର ବାଳକ ବର୍ଗରେ ଭୋଳାନାଥ ବିଦ୍ୟାପୀଠ ଓ ବାଳିକାରେ ଗଙ୍ଗାଧର ବାଳିକା ଉଚ୍ଚ ବିଦ୍ୟାଳୟ, ସ୍କାଉଟ ବାଳକରେ ପୁରୀ ଜିଲ୍ଲା ସ୍କୁଲ, ଗାଇଡ଼ ବାଳିକାରେ ବ୍ଲେସ୍ଡ଼ ସାକ୍ରାମେଂଟ, ସିଭିଲିଆନ ବାଳକ ବର୍ଗରେ ପୋଲିସ ଉଚ୍ଚ ବିଦ୍ୟାଳୟ, ବାଳିକା ବର୍ଗରେ ସୁଖଲତା ମେମୋରିଆଲସ ନୋଡାଲଗାର୍ଲ୍ସ ହାଇସ୍କୁଲ ଓ ଶୃଙ୍ଖଳାରେ ଘୋଡ଼ା ବଜାର ସରସ୍ୱତୀ ଶିଶୁ ମନ୍ଦିର ସ୍କାଉଟ ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା । ପାରେଡ କମାଣ୍ଡର ପୋଲିସ ଆର ଆଇ ଚନ୍ଦ୍ର ଶେଖର ଦାଶ ଓ ସେକେଣ୍ଡ ଇନ କମାଣ୍ଡ ବିକାଶ ଚନ୍ଦ୍ର ସେନାପତି ପରେଡ ପରିଚାଳନା କରିଥିଲେ । ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୋଷାକ, ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପରିସରରେ ରେଡକ୍ରସ ଶାଖା, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ । ନେଚର ଲଭର୍ସ କ୍ଲବ ଓ ପୁରୀ ସେବା ସମିତି ପକ୍ଷରୁ ଗାନ୍ଧି ଘାଟ ଠାରେ ଏକ ପୁଷ୍ପ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଭାରପ୍ରାପ୍ତ ଏସପି ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ତହସିଲଦାର କ୍ଷିରୋଦ କୁମାର ବେହେରା, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ରଞ୍ଜନ ବେହେରା, ରାକେଶ କୁମାର ପଣ୍ଡା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ଗାନ୍ଧୀ ଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
